fbpx

ଜାନୁଆରୀ ୧୮ରେ ମାଲ୍ୟାଙ୍କୁ ହାଜର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମଦ ବ୍ୟବସାୟୀ ତଥା ପଳାତକ ଘୋଷିତ ବିଜୟ ମାଲ୍ୟାଙ୍କୁ ଜାନୁଆରୀ ୧୮ରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭାରତରୁ ଋଣ ଜାଲିଆତି କରି ବ୍ରିଟେନରେ ଆତ୍ମଗୋପନ କରିଥିବା ମାଲ୍ୟାଙ୍କୁ ନୂଆଦିଲ୍ଲୀ ଆଣିବା ପାଇଁ ଏବେ ବି ପ୍ରକ୍ରିୟା ଚାଲିଛି । କିନ୍ତୁ ଏଯାଏ କିଛି ବି ଚୂଡ଼ାନ୍ତ ହୋଇପାରିନି । ଏସବୁ ଭିତରେ ସୁପ୍ରିମକୋର୍ଟ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିଛନ୍ତି । ସେ ୟୁନାଇଟେଡ ସ୍ପିରିଟ୍‌ରୁ ୪୦ ମିଲିୟନ ଡଲାର ବିଦେଶକୁ ପଠାଇଥିଲେ । ସୁପ୍ରିମକୋର୍ଟ ଏପରି ନ କରିବାକୁ କହିଥିଲେ ମଧ୍ୟ ସେ ଅଦାଲତଙ୍କୁ ନିର୍ଦ୍ଦେଶକୁ ଖାତିର କରି ନଥିଲେ । ଏଥିପାଇଁ ତାଙ୍କୁ ସାଢ଼େ ୪ ବର୍ଷ ତଳେ ସୁପ୍ରିମକୋର୍ଟ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଏବେ ଉକ୍ତ ମାମଲାରେ ତାଙ୍କ ଉପରେ ଦଣ୍ଡବିଧାନ ହେବ । ତେଣୁ ସୁପ୍ରିମକୋର୍ଟ ମାଲ୍ୟାଙ୍କୁ ଜାନୁଆରୀ ୧୮ରେ ହାଜର ହେବାକୁ କହିଛନ୍ତି ।

୨୦୧୭ ମେ’ ୯ରେ ସୁପ୍ରିମକୋର୍ଟ ମାଲ୍ୟାଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଏଥିସହ ତାଙ୍କୁ ୨୦୧୭ ଜୁଲାଇ ୧୦ରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ କହିଥିଲେ । ହେଲେ ସେତେବେଳକୁ ମାଲ୍ୟା ବ୍ରିଟେନକୁ ଫେରାର ହୋଇ ସାରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶକୁ ସେ କେବେ ହେଲେ ଖାତିର କରିନାହାନ୍ତି । ଭାରତ ସରକାର ତାଙ୍କୁ ସ୍ୱଦେଶ ଆଣିବାକୁ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପ୍ରତ୍ୟର୍ପଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଥିଲେ ହେଁ ବ୍ରିଟେନ ସରକାର କୌଣସି ପ୍ରକାରର ସିକ୍ରେଟ ପ୍ରୋସେଡିଂ ସମ୍ପର୍କରେ ସୂଚନା ଦେଇନାହାନ୍ତି । ତେଣୁ ମାଲ୍ୟାଙ୍କ ପ୍ରତ୍ୟର୍ପଣରେ ବିଳମ୍ବ ହେଉଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସଲିସିଟିର ଜେନେରାଲ ତୁଷାର ମେହେଟାଙ୍କା ଜରିଆରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି ।

Get real time updates directly on you device, subscribe now.