Breaking-ବିଜେପି ବିଧାୟକଙ୍କ ଅଗ୍ରୀମ ବେଲ ଆବେଦନ ଖାରଜ, ଲୋକଙ୍କ ପାଇଁ ଉଦାହରଣ ହେବାକୁ କହିଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ- ବିଜେପିର ଆଗଧାଡିର ନେତା ତଥା ବିଧାୟକଙ୍କୁ ସୁପ୍ରିମ ଝଟକା । ଆଗୁଆ ଜାମିନ ଆବେଦନ ଖାରଜ କଲେ ସୁପ୍ରିମ କୋର୍ଟ । ମହିଳା ଆଇଆଇସିଙ୍କୁ ମାଡ ମାରିବା ଅଭିଯୋଗରେ ଜୟନାରାୟଣଙ୍କ ନାଁରେ ହୋଇଥିଲା ମାମଲା । ଗତ ବର୍ଷ ଫେବୃଆରୀ ୧୫ ତାରିଖରେ ସମ୍ବଲପୁରରେ ଏକ କାର୍ଯ୍ୟକ୍ରମ ବେଳେ ଜୟନାରାୟଣ ତାଙ୍କୁ ଚାପୁଡା ମାରିଥିବା ନେଇ ଅଭିଯୋଗ ହୋଇଥିଲା । ସେହିପରି ଜୟନାରାୟଣ ମଧ୍ୟ ଆଇଆଇସିଙ୍କ ନାଁରେ ଅଭିଯୋଗ କରିଥିଲେ ।

ଏହି ଏଫଆଇଆରରେ ଗିରଫ ସମ୍ଭାବନା ଥିବାରୁ ଜୟନାରାୟଣ ପ୍ରଥମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛିଲେ । କିନ୍ତୁ ହାଇକୋର୍ଟ ଆବେଦନକୁ ଖାରଜ କରିଦେଇଥିଲେ । ଏହା ପରେ ଜୟନାରାୟଣ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । କିନ୍ତୁ କୋର୍ଟ ତାଙ୍କ ଆବେଦନ ଖାରଜ କରି ଦେଇଛନ୍ତି । ଜଣେ ଜନପ୍ରତିନିଧିଙ୍କ ବ୍ୟବହାର ଅନ୍ୟମାନଙ୍କ ପାଇଁ ଉଦାହରଣ ହେବା ଉଚିତ ବୋଲି କୋର୍ଟ ନିଜ ରାୟରେ କହିଛନ୍ତି । ଜଷ୍ଟିସ ହୃଶିକେଶ ରୟ ଓ ଏସଭିଏନ ଭଟ୍ଟି ଏହି ଆବେଦନକୁ ଖାରଜ କରିଦେଇଛନ୍ତି ।

ନଭେମ୍ବର ୧୬ ୨୦୨୩ରେ ହାଇକୋର୍ଟଙ୍କ ଦ୍ୱାରା ଆବେଦନ ଖାରଜ ପରେ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଥିଲା । ପୂର୍ବରୁ କୋର୍ଟ ତାଙ୍କ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଆଜି କୋର୍ଟ ଆବେଦନ ଖାରଜ କରିବା ପରେ ତାଙ୍କ ଗିରଫଦାରିର ବାଟ ଖୋଲିଯିବ । ଏହି ଘଟଣାକୁ ନେଇ ସେହି ସମୟରେ ବିଜେପି ଓ ବିଜେଡି ମୁହାଁ ମୁହିଁ ହୋଇଥିଲେ । ବିଜେଡିର ହାତ ବାରିଶି ସାଜି ଆଇଆଇସି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଜାଣିଶୁଣି ଉତ୍ତେଜିତ କରିଥିଲେ ଓ ଜୟନାରାୟଣଙ୍କ ପାଦକୁ ଦଳି ଦେଇଥିଲେ ବୋଲି ଜୟନାରାୟଣ ଅଭିେଭୋଗ କରିଥିଲେ । ତେବେ ଗୋଡ ମାଡିବା ପରେ ଜୟନାରାୟଣ ଆଇଆଇସିଙ୍କୁ ଚାପୁଡା ମାରିଥିବା ଅଭିଯୋଗ ହୋଇଥିଲା । ତେବେ ଜୟନାରାୟଣ ଏହାକୁ ସେଲ୍ଫ ଡିଫେନ୍ସ ପାଇଁ ସ୍ୱତପ୍ରବୃତ କ୍ରିୟା ବୋଲି ଯୁକ୍ତି ବାଢିଥିଲେ ।