fbpx

ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସୁରମା ପାଢ଼ୀ

ଭୁବନେଶ୍ୱର: ବିଧାନସଭାରେ ଶେଷ ହୋଇଛି ବିଧାୟକ ଦଳ ବୈଠକ । ଏହି ବୈଠକ ପରେ ବିଜେପି ବାଚସ୍ପତି ପଦ ପାଇଁ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ନାମ ଘୋଷଣା କରିଛି । ବାଚସ୍ପଚି ପଦ ପାଇଁ ନାମ ଘୋଷଣା ହେବା ପରେ ନାମାଙ୍କର ଦାଖଲ କରିଛନ୍ତି ସୁରମା ପାଢ଼ୀ ।ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଉପ ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ଅନ୍ୟ ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ସୁରମା ପାଢ଼ୀ ।

ଆଜି ବାଚସ୍ପତି ପ୍ରାର୍ଥୀ ପାଇଁ ବିଜେପିର ବିଧାୟକ ଦଳ ବୈଠକ ବସିଥିଲା । ତେବେ ଦୀର୍ଘ ସମୟ ଧରି ବାଚସ୍ପତି ପ୍ରାର୍ଥୀ କାହାକୁ କରାଯିବ ସେନେଇ ମାନସ ମନ୍ଥନ ଚାଲିଥିଲା । ଏହି ବୈଠକରେ ସର୍ବସମ୍ମତି କ୍ରମେ ସୁରମା ପାଢୀଙ୍କ ନାଁରେ ମୋହର ବାଜିଛି । ବିଧାନସଭାରେ ବିଜେପିର ଆବଶ୍ୟକୀୟ ସଂଖ୍ୟା ଥିବାରୁ ସୁରମା ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି । ସେହିଭଳି ବିରୋଧୀ ଦଳ ଏଯାଏଁ କାହାକୁ ବାଚସ୍ପତି ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇନାହିଁ । ଏହା ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ସରକାରରେ ସୁରମା ପାଢୀ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ବିଧାନସଭା ପରିଚାଳନା ସମ୍ବନ୍ଧରେ ସୁରମାଙ୍କର ଯଥେଷ୍ଟ ଅନୁଭବ ରହିଛି । ବରିଷ୍ଠତା ଓ ଅନୁଭବ ଦୃଷ୍ଟିରୁ ସୁରମାଙ୍କୁ ବିଜେପି ବାଚସ୍ପତି ପ୍ରାର୍ଥୀ କରିଛି । ଅନ୍ୟପଟେ ବିଜେପି ସୁରମାଙ୍କୁ ବାଚସ୍ପତି ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ନିର୍ଦ୍ଧାରିତ ସମୟ ଦିନ ୧୨ଟା ପରେ ଅନ୍ୟ କେହି ପ୍ରତିଦ୍ୱନ୍ଦୀ ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିନାହାଁନ୍ତି । ତେଣୁ କେହି ପ୍ରତିଦ୍ୱନ୍ଦୀ ନଥିବାରୁ ସୁରମା ପାଢ଼ୀ ଏକ ପ୍ରକାର ବାଚସ୍ପତି ହେବା ସୁନିଶ୍ଚିତ କେବଳ ଘୋଷଣା ହେବା ବାକି ରହିଛି ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମାହାଲିଙ୍ଗ ।

Get real time updates directly on you device, subscribe now.