fbpx

ଏଥର ଜିତିବ ମୁମ୍ବାଇ… ଦଳକୁ ଫେରୁଛନ୍ତି Mr. Dependable: ଫିଟ୍ ହେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ଲଗାତାର ବିଫଳତାକୁ ସାମନା କରୁଛି ମୁମ୍ବାଇ ଇଣ୍ଡିଆନ୍ସ । ୩ଟି ମ୍ୟାଚ ଖେଳି ସାରିବା ପରେ ମଧ୍ୟ ପ୍ରଥମ ବିଜୟକୁ ଅପେକ୍ଷା କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଲଗାତାର ୩ଟି ପରାଜୟ ପରେ ସଂଘର୍ଷ କରୁଥିବା ମୁମ୍ବାଇ ପାଇଁ ଆସିଛି ଏକ ଖୁସିଖବର । ମୁମ୍ବାଇ ପଲଟନର ସବୁଠାରୁ ଭରସାଯୋଗ୍ୟ ବ୍ୟାଟର ତଥା ଟି-୨୦ ଫର୍ମାଟର ସର୍ବଶ୍ରେଷ୍ଠ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ସୁସ୍ଥ ହୋଇ ପୁଣିଥରେ ମଇଦାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ଖୁବଶୀଘ୍ର ସେ ମୁମ୍ବାଇ ଜର୍ସିରେ ନଜର ଆସିବେ ବୋଲି ଜାଣିବାକୁ ମିଳିଛି ।

ରିପୋର୍ଟ ଅନୁସାରେ, ଆଜି ସୂର୍ଯ୍ୟକୁମାର ଯାଦବଙ୍କୁ ସୁସ୍ଥ ବୋଲି ଘୋଷଣା କରିଛି ନେସନାଲ କ୍ରିକେଟ ଏକାଡେମୀ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଆହତ ହୋଇ ୩ ମାସରୁ ଅଧିକ ଦିନ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିଥିଲେ ସୂର୍ଯ୍ୟକୁମାର । କିନ୍ତୁ ବର୍ତ୍ତମାନ ଆଇପିଏଲ ଖେଳିବା ପାଇଁ ସେ ସମ୍ପୂର୍ଣ୍ଣ ଫିଟ ରହିଛନ୍ତି । ଆଇପିଏଳ ପୂର୍ବରୁ ହୋଇଥିବା ଫିଟନେସ ଟେଷ୍ଟରେ ସେ ଶତ ପ୍ରତିଶତ ସୁସ୍ଥ ଅନୁଭବ କରୁ ନଥିଲେ । ତେଣୁ ଆଉ କିଛି ଦିନ ଅପେକ୍ଷା କରିବାକୁ ତାଙ୍କୁ କୁହାଯାଇଥିଲା । ତେବେ ବର୍ତ୍ତମାନ ସମସ୍ତ ଯନ୍ତ୍ରଣାରୁ ସେ ମୁକ୍ତ ହୋଇ ସାରିଛନ୍ତି ଏବଂ ମ୍ୟାଚ ଖେଳିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ବିସିସିଆଇ ତରଫରୁ କୁହାଯାଇଛି ।

ସୂଚନା ଥାଉ କି, ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ସମୟରେ ଫିଲ୍ଡିଂ କରୁଥିବା ବେଳେ ଆହତ ହୋଇଥିଲେ ସୂର୍ଯ୍ୟକୁମାର ଯାଦବ । ଏହାପରେ ତାଙ୍କର ସ୍ପୋର୍ଟସ ହାର୍ଣ୍ଣିଆ ସର୍ଜରୀ କରାଯାଇଥିଲା । ଯାହା ଫଳରେ ଆଫଗାନିସ୍ତାନ ବିପକ୍ଷ ସିରିଜରୁ ସେ ବାଦ୍ ପଡ଼ିବା ସହ ଆଇପିଏଲର ପ୍ରଥମ ୩ଟି ମ୍ୟାଚରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ତେବେ ଆଗାମୀ ମ୍ୟାଚରେ ସୂର୍ଯ୍ୟକୁମାର ପୁଣିଥରେ ଆକ୍ସନକୁ ଆସିବେ ବୋଲି ଆଶା କରାଯାଉଛି । ସୂର୍ଯ୍ୟକୁମାରଙ୍କ କମବ୍ୟାକ ମୁମ୍ବାଇକୁ ବ୍ୟାଟିଂରେ ଆହୁରି ଶକ୍ତିଶାଳୀ କରିପାରିବ ।

Get real time updates directly on you device, subscribe now.