ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଚିନ୍ତାରେ ବିସିସିଆଇ, ୟୁଏଇରେ ହୋଇପାରେ ମ୍ୟାଚ !

ନୂଆଦିଲ୍ଲୀ ୦୫ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ଦିନକୁଦିନ ବଢ଼ିବାରେ ଲାଗିଛି । କରୋନା ମହାମାରୀ ଯୋଗୁ ଆଇପିଏଲ-୧୪ର ଅବଶିଷ୍ଟ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଛି । ଆଇପିଏଲ ଖେଳାଳିମାନେ ସଂକ୍ରମିତ ହେବା ପରେ ବିସିସିଆଇ ଶେଷରେ ଖେଳ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ଆଇପିଏଲ୍‌ ସ୍ଥଗିତ ହେବା ପରେ ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆୟୋଜନକୁ ନେଇ ଏବେ ଚିନ୍ତାରେ ବିସିସିଆଇ ।

ସୂଚନା ଅନୁସାରେ କରୋନା ତୃତୀୟ ଲହର ନଭେମ୍ବର ମାସ ବେଳକୁ ଆରମ୍ଭ ହୋଇପାରେ । ଏପରି ହେଲେ ଭାରତରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆୟୋଜନ ସମ୍ଭବ ନୁହଁ । ତେଣୁ ବିଶ୍ୱକପ୍‌ ଦ୍ୱିତୀୟ ବିକଳ୍ପ ଭେନ୍ୟୁ ୟୁଏଇରେ ହିଁ ଖେଳାଯିବ ନେଇ ସୂଚନା ରହିଛି । ଏନେଇ ବୋର୍ଡର ଜଣେ ଅଫିସିଆଲ ବ୍ୟକ୍ତିଙ୍କ କହିବା ଅନୁସାରେ, ଆଇପିଏଲ ଅଧାରୁ ସ୍ଥଗିତ ହେବା ପରେ ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆୟୋଜନ ସମ୍ଭବ ହେଲା ଭଳି ଦେଖାଯାଉ ନାହିଁ । ବିସିସିଆଇର ବରିଷ୍ଠ ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି । ଯଦି ଆବଶ୍ୟକ ହୁଏ ତେବେ ବିଶ୍ୱକପ୍‌କୁ ୟୁଏଇ ସ୍ଥାନାନ୍ତର କରାଯିବ ।’ଘରୋଇ ଭେନ୍ୟୁରେ ବିଶ୍ୱକପ୍‌ ଆୟୋଜନ କରିବା ନେଇ ବିସିସିଆଇ ୯ଟି ଭେନ୍ୟୁ ଚୂଡ଼ାନ୍ତ କରି ଆଇସିସିକୁ ତାଲିକା ପ୍ରଦାନ କରିଥିଲା । ଭେନ୍ୟୁ ତାଲିକାରେ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ ଓ ମୁମ୍ବାଇ ସାମିଲ ରହିଛନ୍ତି ।