fbpx

ଗରିବର ଦୁଃଖ ବୁଝିଲା ଖେଳାଳିର ମନ: ଟ୍ରେନ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ନିରବ ପ୍ରାର୍ଥନା କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆଜି ଲଣ୍ଡନର ଓଭାଲାଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଆରମ୍ଭ ହୋଇଛି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ତେବେ ଆଜିର ଖେଳ ଟିମ୍ ଇଣ୍ଡିଆ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ହେଁ ଖେଳାଳିମାନେ ମାନବିକତା ଭୁଲିନଥିଲେ । ଗତ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱରର ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ଶତାଧିକ ପୀଡ଼ିତଙ୍କୁ ସମ୍ମାନ ଜଣାଇଥିଲା ଟିମ୍ ଇଣ୍ଡିଆ । ଖେଳ ଆରମ୍ଭ କରିବା ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଦୁର୍ଘଟଣାର ମୃତକଙ୍କ ପାଇଁ ନିରବ ପ୍ରାର୍ଥନା କରିଥିଲେ ।

ଆଜି ଟିମ୍ ଇଣ୍ଡିଆର ଖେଳାଳିମାନେ କଳା ବ୍ୟାଣ୍ଡ ବାହୁରେ ବାନ୍ଧିବା ସହିତ ମୃତକଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବାହାନଗାର ମୃତକଙ୍କ ପାଇଁ ଖେଳାଳିଙ୍କର ହୃଦୟ ତରଳି ଉଠିଛି । ଟିମ୍ ଇଣ୍ଡିଆର ଖେଳାଳିଙ୍କର ଏହି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଖେଳାଳିମାନେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏଥିସହିତ ଟିମ୍ ଇଣ୍ଡିଆର କିଛି ଖେଳାଳି ଦୁର୍ଘଟଣାର ପୀଡ଼ିତଙ୍କ ପାଇଁ କିଛି ଆର୍ଥିକ ସହାୟତା ଘୋଷଣା କରିଥିବା ମଧ୍ୟ ଜଣାପଡ଼ିଛି ।

ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ସାରା ବିଶ୍ୱବାସୀଙ୍କ ଆଖିରେ ଲୁହ ଭରିଦେଇଥିଲା । ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିବା ସହିତ ୧ ହଜାରରୁ ଅଧିକ ଆହତ ହୋଇଥିଲେ । ଏହି ଦୁର୍ଘଟଣା ସ୍ଥଳରେ ରେସକ୍ୟୁ ଟିମ୍ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ବାସିନ୍ଦା ଅସୀମ ସାହସିକତା ଦେଖାଇଥିଲେ । ସ୍ଥାନୀୟ ଅଞ୍ଚଳର ଯୁବକମାନେ ଏକତ୍ର ହୋଇ ଶହ ଶହ ଲୋକଙ୍କୁ ଟ୍ରେନରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ସହିତ ମେଡିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କର ଏହି ସାହସିକତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଧନ୍ୟବାଦ ଦେଇଥିଲେ ।

Get real time updates directly on you device, subscribe now.