ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି । ପ୍ରଥମ ଟେଷ୍ଟରେ ଭାରତ ୨୯୫ ରନରେ ବିଜୟ ହାସଲ କରିବା ପରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ପଏଣ୍ଟସ ଟେବୁଲରେ ଭାରତ ଟପରେ ପହଞ୍ଚି ଯାଇଛି । ତେବେ ଏହା ମଧ୍ୟରେ ଭାରତ ପାଇଁ ପୁଣି ଆସିଛି ଦୁଇଟି ବଡ଼ ଖୁସି ଖବର । ଦ୍ୱିପାକ୍ଷିକ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି ଇଂଲଣ୍ଡ । ଏହାଫଳରେ ଟିମ୍ ଇଣ୍ଡିଆର ଡବ୍ଲ୍ୟୁଟିସି ଫାଇନାଲ ସମୀକରଣରେ କିଛିଟା ସହଜ ହୋଇଯିବ ।
ତେବେ ଏହା ମଧ୍ୟରେ ଭାରତୀୟ ଦଳ ପାଇଁ ପୁଣି ଆସିଛି ଡବଲ୍ ଖୁସି । କ୍ରାଇଷ୍ଟଚର୍ଚ୍ଚରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ସ୍ଲୋ-ଓଭର ରେଟ ମାମଲା ସାମ୍ନାକୁ ଆସିଥିଲା । ଏହି ନିୟମ ଉଲ୍ଲଂଘନ କରିବାର କାରଣରୁ ଆଇସିସି ଉଭୟ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ମ୍ୟାଚ ଫିସର ୧୫ ପ୍ରତିଶତ ଜରିମାନା ଲାଗୁ କରିଛି । ଏଥିସହିତ ଦୁଇ ଟିମଙ୍କର ଡବ୍ଲ୍ୟୁଟିସିର ୩ ପଏଣ୍ଟ କଟିଯାଇଛି । ଆଇସିସିର ଏହି ପଦକ୍ଷେପ ଏବେ ଟିମ୍ ଇଣ୍ଡିଆକୁ ବମ୍ପର ଫାଇଦା ଦେଇଛି ।
ପର୍ଥ ଟେଷ୍ଟରେ ବିଜୟ ପରେ ଡବ୍ଲ୍ୟୁଟିସି ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ପରବର୍ତ୍ତୀ ୪ଟି ଟେଷ୍ଟରେ ଜିତିବା ଜରୁରୀ ଥିଲା । ମାତ୍ର ଏବେ ଫାଉନାଲ ଖେଳିବା ଭାରତ ପାଇଁ ପୂର୍ବାପେକ୍ଷା ସହଜ ହୋଇଯାଇଛି । ଏବେ ଭାରତ ୩-୦ରେ ସିରିଜ ଜିତିଲେ ବି ଭାରତ ଫାଇନାଲରେ ପହଞ୍ଚିଯିବ । ଅର୍ଥାତ ପୂର୍ବରୁ ଭାରତ ଗୋଟିଏ ଟେଷ୍ଟ ଜିତିସାରିଥିବା ବେଳେ ଏବେ ଫାଇନାଲରେ ପହଞ୍ଚିବାକୁ ହେଲେ ଆଉ ମାତ୍ର ୨ଟି ଟେଷ୍ଟରେ ଜିତିବାକୁ ପଡ଼ିବ । ଏପରି ଭାବେ ଆଇସିସିର ଆକ୍ସନ ପରେ ଏବେ ଟିମ୍ ଇଣ୍ଡିଆର ଖୁସି ତିନି ଗୁଣ ବଢ଼ିଯାଇଛି ।