fbpx

ଟେକ୍ନିସିଆନ, ବୈଜ୍ଞାନିକ, ଏକ୍ସ ସର୍ଭିସମ୍ୟାନଙ୍କୁ ବିଜେପି ଦେଉଛି ପ୍ରାଧାନ୍ୟ, ବିଭିନ୍ନ ବୋର୍ଡରେ କରିବ ଅଧ୍ୟକ୍ଷ

ଭୁବନେଶ୍ୱର: ସରକାର ବଦଳିବା ପରଠାରୁ ଖାଲି ପଡିଥିବା ରାଜ୍ୟର ବିଭିନ୍ନ ବୋର୍ଡ ଓ ନିଗମର ଅଧ୍ୟକ୍ଷ ପଦ ପୂରଣ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ରାଜ୍ୟରେ ଖାଲି ପଡିଥିବା ନିଗମ ଓ ବିଭିନ୍ନ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତି କରାଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ।

ସାମଲ ଆଜି କହିଛନ୍ତି କି, ବର୍ତ୍ତମାନ ରାଜ୍ୟରେ ସଦସ୍ୟ ସଂଗ୍ରହ ଅଭିଯାନ ଚାଲିଛି । ଏହି ଅଭିଯାନ ପରେ ଅନେକ ଅଭିଜ୍ଞ ତଥା ଯୋଗ୍ୟ ବ୍ୟକ୍ତି ବିଶେଷ ଦଳ ସହ ସାମିଲ ହେବେ । ଅଭିଯାନ ସରିବା ପରେ ରାଜ୍ୟବ୍ୟାପୀ ଥିବା ସବୁ ବୋର୍ଡ ଓ ନିଗମ ପାଇଁ ଅଧ୍ୟକ୍ଷ ନିଯୁକ୍ତି ଦିଆଯିବ । ପ୍ରଥମେ ଏଥିପାଇଁ ଦଳୀୟ ଓ ମନ୍ତ୍ରୀସ୍ତରୀୟ ବୈଠକ ହେବ । ବୈଠକରେ ବିଚାର ବିମର୍ଷ କରିବା ପରି ଅଧ୍ୟକ୍ଷ ଚୟନ କରାଯିବ ।

ସାମଲ ଆଗକୁ କହିଛନ୍ତି କି, ଏହି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ପାଇଁ ଦଳ ବିଭିନ୍ନ କ୍ଷେତ୍ରରେ କାମ କରି ସଫଳତା ହାସଲ କରିଥିବା ଲୋକଙ୍କୁ ଗୁରୁତ୍ୱ ଦେବ । ଏମାନଙ୍କ ମଧ୍ୟରେ ଟେକ୍ନିସିଆନ, ବୈଜ୍ଞାନିକ, ଏକ୍ସ ସର୍ଭିସମ୍ୟାନଙ୍କୁ ସାମିଲ କରାଯିବାକୁ ଯୋଜନା ରହିଛି ।

ରାଜ୍ୟ ସଭାପତିଙ୍କ ପ୍ରତିକ୍ରିୟା ପରେ ଏହି ବର୍ଗରେ କାମ କରି ସଫଳତା ହାସଲ କରିଥିବା ବହୁ ବିଜେପି ସଦସ୍ୟଙ୍କ ମଧ୍ୟରେ ଆଶାର ସଂଚାର ହୋଇଛି । ଏଥିସହ, ଆଗାମୀ ଦିନରେ ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନରେ ଏହି ସବୁ ବର୍ଗର ଲୋକ ଅଧିକରୁ ଅଧିକ ସାମିଲ ହୋଇ ନିଜ ଭାଗ୍ୟ ନିର୍ଣ୍ଣୟ କରିବାର ମଧ୍ୟ ବହୁ ସୁବିଧା, ସୁଯୋଗ ଥିବା ପରି ମନେ ହେଉଛି ।

Get real time updates directly on you device, subscribe now.