ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ଟିମକୁ ଲାଗିଛି ଶକ୍ତ ଝଟକା । ଦଳର ଦୁଇ ବିଶ୍ୱସ୍ତ ଏବଂ ଷ୍ଟାର ବୋଲରଙ୍କୁ ହରାଇଛି ଅତିଥି ଦଳ । ସ୍ପିନ ବୋଲର ମହୀଷ ତୀକ୍ଷଣା ଏବଂ ଦ୍ରୁତ ବୋଲର ଶିରନ ଫର୍ଣ୍ଣାଣ୍ଡୋ ଆହତ ହୋଇ ସମ୍ପୂର୍ଣ୍ଣ ସିରିଜରୁ ବାଦ ପଡିଛନ୍ତି । ବାକି ଥିବା ଦୁଇଟି ମ୍ୟାଚରୁ ଏହି ଦୁଇ ଖେଳାଳି ବାଦ ପଡିବେ ବୋଲି ଜଣାଯାଇଛି । ଅନ୍ୟ ପକ୍ଷରେ ଷ୍ୟାର ବ୍ୟାଟ୍ସମ୍ୟାନ କୁସଲ ମେଣ୍ଡିସଙ୍କ ଖେଳିବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, କୁସଲ ମେଣ୍ଡିସ ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ସୁସ୍ଥ ହୋଇ ପାରନ୍ତି । ତେବେ ୱିକେଟକିପର ନିରୋଶନ ଡିକୱେଲା ଏବଂ ଧନଞ୍ଜୟ ଡି ସିଲଭାଙ୍କୁ ପରବର୍ତ୍ତୀ ଦୁଇଟି ମ୍ୟାଚ ପାଇଁ ଟି-୨୦ ଦଳରେ ସାମିଲ କରାଯାଇଛି । ସିରିଜ ପୂର୍ବରୁ ଦଳର ଷ୍ଟାର ସ୍ପିନର ୱାନିନ୍ଦୁ ହସରଙ୍ଗା କରୋନା ସଂକ୍ରମିତ ହୋଇ ଦଳରୁ ବାଦ ପଡିଥିବା ବେଳେ ଏବେ ଏହି ଦୁଇ ଜଣଙ୍କ ବ୍ୟତୀତ ମଇଦାନକୁ ଓହ୍ଲାଇବ ଶ୍ରୀଲଙ୍କା ଦଳ । ପ୍ରଥମ ଟି-୨୦ରେ ୬୨ ରନର ପରାଜୟ ମିଳିଥିବା ବେଳେ ଶେଷ ଦୁଇ ମ୍ୟାଚ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ତେବେ ଖେଳାଳିମାନଙ୍କର ଆହତଜନିତ ସମସ୍ୟା ଦଳକୁ ଆହୁରି ଦୁର୍ବଳ କରି ଦେଉଥିବା ଦେଖାଯାଇଛି ।