ସାମ୍ନାକୁ ଆସିଲା ଦୟାନଦୀ ଜଳର ରିପୋର୍ଟ: ପାଣିରେ ଭୟଙ୍କର ଭୂତାଣୁ ଥିବା ଖୁଲାସା

ଦୟାନଦୀ ଜଳ ସମ୍ପୂର୍ଣ୍ଣ ଦୂଷିତ. ଏହି ନଦୀର ଜଳରେ ଭୟଙ୍କର ଭୂତାଣୁ ଥିବା ରିପୋର୍ଟରୁ ଜଣାପଡିଛି

ଭୁବନେଶ୍ୱର: କଣାସରେ ଦୟାନଦୀ ଜଳ ସମ୍ପୂର୍ଣ୍ଣ ଦୂଷିତ ହୋଇଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଦୟାନଦୀ ଜଳର ରିପୋର୍ଟ । ଏହି ନଦୀର ଜଳରେ ଭୟଙ୍କର ଭୂତାଣୁ ଥିବା ରିପୋର୍ଟରୁ ଜଣାପଡିଛି ।

ପାଣିରେ ଆମାଶୟ ଜୀବାଣୁ ଥିବା ଚିହ୍ନଟ ହୋଇଛି । ଏହି କାରଣରୁ ନଦୀ ପାଣି ବ୍ୟବହାର ନକରିବାକୁ ମେଡିକାଲ କର୍ତ୍ତୃପକ୍ଷ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ କଣାସ ଅଞ୍ଚଳରେ ଝାଡ଼ାବାନ୍ତି ଲାଗିରହିଛି । ଆକ୍ରାନ୍ତ ଅଞ୍ଚଳରେ ଦୁଇଟି ମେଡିକାଲ କ୍ୟାମ୍ପ ସ୍ଥାପନ କରାଯାଇ ଲୋକମାନଙ୍କୁ ସଚେତନ କରାଯାଉଛି । ଜିଲ୍ଲା ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଅଞ୍ଚଳର ଅନୁଧ୍ୟାନ କରିବେ ।

କିପରି ହେଉଛି ପ୍ରଦୂଷଣ : ପ୍ରଦୂଷିତ ଜଳ ବ୍ୟବହାର ନ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରୂପଭାନୁ ମିଶ୍ର ଲୋକଙ୍କୁ ଅନୁରୋଧ କରିଛନ୍ତି। ଭୁବନେଶ୍ୱରର ନାଳନର୍ଦ୍ଦମା, ବର୍ଜ୍ୟବସ୍ତୁ ଗଙ୍ଗୁଆ ନାଳ ଦେଇ ପିପିଲିର ନଟାସାହିଠାରେ ଦୟାନଦୀକୁ ନିଷ୍କାସିତ ହେଉଛି। ଫଳରେ ଦୟାନଦୀ ପାଣି ଭୟଙ୍କର ପ୍ରଦୂଷିତ ହୋଇ ନିମ୍ନ ଅବବାହିକାର ଲୋକଙ୍କ ପାଇଁ ଜହରରେ ପରିଣତ ହୋଇଛି।

ଏହି ଗାଁ ଲୋକ ପ୍ରଭାବିତ : ନଦୀ ତଳମୁଣ୍ଡରେ ଥିବା କଣାସ ବ୍ଲକ୍‌ର ଲୋକଙ୍କ ପାଇଁ ଦୟା ଜଳ ପିଇବା ପାଇଁ ଏକମାତ୍ର ଉତ୍ସ ହୋଇଥିବାରୁ ଲୋକେ ପିଇବାକୁ ବାଧ୍ୟ ହେଉଛନ୍ତି। ଗଡ଼ସାନପୁଟ, ଗଡ଼ବଡ଼ପୁଟ, ପାଣ୍ଡିଆକେରା, ଦୋକନ୍ଦା, କଣାସ, ତ୍ରିଲୋଚନପୁର, ଗଡ଼ବଳଭଦ୍ରପୁର, ଚୁପୁରିଙ୍ଗି, ଗଡ଼ଶାହି, ବଡ଼ାଲ, ଗୋପୀନାଥପୁର, କାଦୁଆ, ଗଡ଼ିଶାଗୋଦା ପଞ୍ଚାୟତର ଶତାଧିକ ଗ୍ରାମ ଦୟା, ମକରା ଓ ରଜୁଆ ନଦୀର ଜଳକୁ ପାନୀୟ ଜଳ ସହିତ ନିତ୍ୟ ବ୍ୟବହାର୍ଯ୍ୟ କାମରେ ଲଗାଉଛନ୍ତି।

ଦୂଷିତ ଜଳ ଯୋଗୁଁ କଣାସ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଝାଡ଼ାବାନ୍ତି ବ୍ୟାପିଛି। ସର୍ବାଧିକ ପ୍ରଭାବିତ ନୂଆଗାଁ ଓ ଜାଗୁଳାଇପଦରକୁ ମାଳମାଳ ପ୍ରାଶାସନିକ ଅଧିକାରୀ, ଡାକ୍ତରୀ ଦଳ, ଓ ରାଜନେତାଙ୍କର ଧାଡ଼ି ଲମ୍ବଛି।

 ସ୍ଥିତି ଅନୁଧ୍ୟାନ: ଆଜି ଦୁଇ ଗ୍ରାମରେ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ପରିଡ଼ା, କଣାସ ତହସିଲ୍‌ଦାର ହିମାଂଶୁ ଶେଖର ଗିରି, ବିଡିଓ ନାରାୟଣ ସାହୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସେହିପରି ନୂଆଗାଁରେ ସତ୍ୟବାଦୀ ବିଧାୟକଙ୍କ ପତ୍ନୀ ଦେବବନିତା ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଲତାମଣି ଜଗଦ୍ଦେବ, ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ, ଉମାକାନ୍ତ ସାମନ୍ତରାୟଙ୍କ ସମେତ ବିଭିନ୍ନ ଲୋକପ୍ରତିନିଧି ପହଞ୍ଚି ଗ୍ରାମବାସୀଙ୍କଠାରୁ ଝାଡ଼ାବାନ୍ତି ବ୍ୟାପିଥିବା ସଂପର୍କରେ ପଚାରି ବୁଝିବା ସହିତ ଦୟା ନଦୀର ଦୂଷିତ ଜଳଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି।