fbpx

ଭାରତକୁ ଦୋହଲାଇବାକୁ ଷଡଯନ୍ତ୍ର, ମନ୍ଦିର ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା, ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ : ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଭାରତରେ ବଡ ଧରଣର ଆତଙ୍କୀ ଘଟଣା ଘଟାଇବା ଫିରାକରେ ଅଛନ୍ତି । ପାକ୍ ସମର୍ଥିତ ଆତଙ୍କୀ ସଂଗଠନ ଜୈଶ ଇ ମହମ୍ମଦ ଓ ଲସ୍କର ଇ ତୋଇବା ଭାରତରେ ସାଂପ୍ରଦାୟିକ ଦଙ୍ଗା କରାଇବା ପାଇଁ ମନ୍ଦିର ଉପରେ ଆକ୍ରମଣ କରିବାକୁ ଯୋଜନା କରିଛି । ଗୁଇନ୍ଦା ଏଜେନ୍ସି ପକ୍ଷରୁ ଇନପୁଟ୍ ମିଳିବା ପରେ ଜମ୍ମୁରେ ହାଇ ଆଲର୍ଟ ଜାରି କରାଯାଇଛି । ଏପରିକି ପୂରା ସହରରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । କାରଣ ଜମ୍ମୁକୁ ମନ୍ଦିରର ସହର କୁହାଯାଏ । ଏଠାରେ ରଘୁନାଥ ମନ୍ଦିର, ବାଭେ ଲାଲି ମାତା ସହିତ ଶତାଧିକ ପ୍ରାଚୀନ ମନ୍ଦିର ରହିଛି । ରଘୁନାଥ ମନ୍ଦିର ଉପରେ ତ ପୂର୍ବରୁ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇ ସାରିଛି ।

ଇଣ୍ଡିଆ ଟୁଡେର ସୂଚନା ଅନୁଯାୟୀ, ଆତଙ୍କବାଦୀ ସଂଗଠନ ଅଗଷ୍ଟ ୫ ଓ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ଜମ୍ମୁରେ ମନ୍ଦିର ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରି ପାରନ୍ତି । ସେପଟେ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାରକୁ ଦୁଇ ବର୍ଷ ପୂରଣ ହେବାକୁ ଯାଉଛି । ଏହି ଅବସରରେ ଆତଙ୍କବାଦୀ ଭାରତକୁ ଦୋହଲାଇବାକୁ ଉଦ୍ୟମ ଚଳାଇଛନ୍ତି ।

ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ, ନିକଟରେ ଡ୍ରୋନ ଦ୍ୱାରା ହମଲା ଉଦ୍ୟମ ହୋଇଛି । ଏହି ଧରଣର ଘଟଣା ସଙ୍କେତ ଦେଉଛି ଯେ, ପାକିସ୍ତାନ ସମର୍ଥିତ ଆତଙ୍କୀ ସଂଗଠନ ଜମ୍ମୁରେ ମନ୍ଦିର ନିକଟ ଜନଗହଳିପୂର୍ଣ୍ଣ ସ୍ଥାନରେ ବଡ ଧରଣର ବିସ୍ଫୋରଣ କରିବାକୁ ଉଦ୍ୟମ ଚଳାଇଛନ୍ତି । ଏହା ପୂର୍ବରୁ ବିଗତ ଦିନରେ ଅତି କମରେ ତିନି ଆତଙ୍କୀ ଷଡଯନ୍ତ୍ରକୁ ଭାରତ ବିଫଳ କରି ସାରିଛି । ଅଧିକାରୀଙ୍କ ଅନୁଯାୟୀ, ଆତଙ୍କବାଦୀ ଡ୍ରୋନର ବ୍ୟବହାର ଆଇଇଡି ଆଣିବା ପାଇଁ ଉପଯୋଗ କରୁଛନ୍ତି । ଏହି ପରି ଘଟଣା ମଧ୍ୟ ନିକଟ ଦିନରେ ଘାଟିରେ ଦେଖିବାକୁ ମିଳି ସାରିଛି ।

Get real time updates directly on you device, subscribe now.