ପିଲା ଜିଦ୍ କରୁଛି, କଥା ଶୁଣୁନି…ଜାଣନ୍ତୁ ଏହା ପଛରେ କ’ଣ କାରଣ ରହିଛି

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ମାତା ପିତାଙ୍କ ପାଇଁ ପିଲାଙ୍କ ଲାଳନ ପାଳନ କରିବା ବଡ଼ ଚ୍ୟାଲେଞ୍ଜ ପାଲଟିଯାଇଛି । ବିଶେଷକରି କର୍ମଜୀବୀ ଦମ୍ପତ୍ତିଙ୍କୁ ଏଥିପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ବେଳେ ବେଳେ ପିଲାମାନେ କଥା ନ ଶୁଣିଲେ ସେମାନଙ୍କ ଉପରେ କ୍ରୋଧିତ ହେବା ସହ ମାରପିଟ୍ କରିବାକୁ ମଧ୍ୟ ପଛାଇନଥାନ୍ତି । ପିଲାଙ୍କ ସମସ୍ୟା ଶୁଣିବା ପରିବର୍ତ୍ତେ ସେମାନଙ୍କୁ ନଜରଅନ୍ଦାଜ କରିଥାନ୍ତି । ପରବର୍ତ୍ତୀ ସମୟରେ ମାତା ପିତା ଏବଂ ସନ୍ତାନ ସମ୍ପର୍କରେ ତିକ୍ତତା ଦେଖାଦେଇଥାଏ ।

ପିଲାଙ୍କ ମନ ବହୁତ କୋମଳ । ଛୋଟ ବୟସରୁ ସେମାନଙ୍କୁ ଉଚିତ ଶିକ୍ଷା, ଅନୁଶାସନ ଇତ୍ୟାଦି ଦେବା ଉଚିତ । ସେମାନେ ଯାହା ଦେଖିଥାନ୍ତି ସେଇୟା ଶିଖିଥାନ୍ତି । ବେଳେ ବେଳେ ମାତା ପିତାଙ୍କ ବ୍ୟବହାର ମଧ୍ୟ ସେମାନଙ୍କ ମନକୁ ଗଭୀର ଭାବେ ଆଘାତ କରିଥାଏ । ତେବେ ଆସନ୍ତୁ ଜାଣିବା ପିଲାମାନେ ମାତାପିତାଙ୍କୁ ଅବହେଳା କରିବା ପଛରେ କ’ଣ କାରଣ ରହିଛି ।

୧. ସବୁବେଳେ ଚିତ୍କାର କରି କଥା ହେବା: ବେଳେ ବେଳେ ପିଲା କଥା ନ ଶୁଣିଲେ ମାତା ପିତାମାନେ ତାଙ୍କ ଉପରେ କ୍ରୋଧିତ ହେବା ସହ ଚିତ୍କାର କରି କଥାବାର୍ତ୍ତା କରିଥାନ୍ତି । ହୋମୱାର୍କ, ଖାଇବା, ଖେଳିବା, ଟିଭି ଦେଖିବା ଇତ୍ୟାଦି ପାଇଁ ଅଯଥାରେ ପିଲାଙ୍କ ସହ ଜୋର ଆୱାଜରେ କଥାବାର୍ତ୍ତା କରିଥାନ୍ତି । ଏହା ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ସେମାନେ ମାତା ପିତାଙ୍କୁ କିଛି ବି କହିବା ପାଇଁ ଭୟ କରିଥାନ୍ତି । ପିଲାଙ୍କୁ ଆରାମରେ ଉଦାହରଣ ଦେଇ ବୁଝାଇବା ଉଚିତ ।

୨. ଅଧିକ ନିୟମ: ସାଧାରଣତଃ ଜୀବନକୁ ଅନୁଶାସିତ କରିବା ପାଇଁ ସମସ୍ତଙ୍କ ଘରେ କିଛି ନିୟମ ରହିଥାଏ । ବେଳେ ବେଳେ କିଛି କଠୋର ନିୟମ ପିଲାଙ୍କ ମନକୁ ଗଭୀର ଭାବେ ଆଘାତ କରିଥାଏ । ପିଲାଙ୍କ ମନ ଚଞ୍ଚଳ ହୋଇଥାଏ ତେଣୁ ସେମାନେ କୌଣସି ନିୟମକୁ ଗମ୍ଭୀରତାର ସହ ନେଇନଥାନ୍ତି । ଫଳରେ ମାତା ପିତାଙ୍କ କଥାର ଅବମାନନା କରିଥାନ୍ତି । ଅଧିକାଂଶ କ୍ଷେତ୍ରରେ ପିଲାମାନେ ଏହି କଠୋର ନିୟମ ପାଇଁ ମନରେ ମାତାପିତାଙ୍କ ପାଇଁ ଘୃଣା ଭାବ ଆସିଥାଏ ।

୩. ଆଟେନସନ୍ ଲୋଡ଼ା: ଆଜିକାଲି ଅଧିକାଂଶ ଦମ୍ପତ୍ତି କର୍ମଜୀବୀ ହୋଇଥିବାରୁ ପିଲାଙ୍କ ସହ ଅଧିକ ସମୟ ବିତାଇ ପାରନ୍ତି ନାହିଁ । ଏଭଳି ସ୍ଥିତିରେ ପିଲାଙ୍କୁ ଅଟେନସନ୍ ଲୋଡ଼ା ଥାଏ । ପିଲାଙ୍କ ସହ ଖେଳିବା, ପାର୍କ ଯିବା, ହୋମୱାର୍କ କରାଇବା, ମିଶିକି ଖାଇବା, ରାତିରେ ଗପ ଶୁଣାଇବା ଭଳି ଗୁଣାତ୍ମକ ସମୟ ବିତାଇବା ଦ୍ୱାରା ମାତା ପିତା ଓ ସନ୍ତାନଙ୍କ ସମ୍ପର୍କରେ ମଧୁରତା ଦେଖାଦେଇଥାଏ ।

୪. ପିଲାଙ୍କ ଉପରେ ନିଜ ଇଚ୍ଛା ଲଦିବା: ପିଲାଙ୍କ ନିଜର କିଛି ଇଚ୍ଛା ଓ ସ୍ୱାଧୀନତା ରହିଛି । କିନ୍ତୁ ବେଳେ ବେଳେ ମାତା ପିତାମାନେ ନିଜ ଇଚ୍ଛା ପିଲାଙ୍କ ଉପରେ ଲଦି ଦେଇଥାନ୍ତି । ପିଲାଙ୍କ ମନକଥା ଜାଣିବା ପରିବର୍ତ୍ତେ କେବଳ ନିଜ କଥାକୁ ହିଁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଏଭଳି ସ୍ଥିତିରେ ପିଲା ଅଧିକ ଜିଦିଆ ହୋଇଯାନ୍ତି ଓ ମାତା ପିତାଙ୍କ କଥାକୁ ଅଣଦେଖା କରିଥାନ୍ତି ।

୫. ଦମ୍ପତ୍ତିଙ୍କ ଝଗଡ଼ା: ବେଳେ ବେଳେ ମାତା ପିତାମାନେ ପିଲାଙ୍କ ସାମ୍ନାରେ ଝଗଡ଼ା କରିଥାନ୍ତି । ପିଲାଙ୍କ କୋମଳ ମନରେ ଏହାର ଗଭୀର ପ୍ରଭାବ ପଡ଼ିଥାଏ । ପିଲାମାନେ କେବଳ ବହିରୁ ନୁହେଁ ବରଂ ସେମାନଙ୍କ ପାରିପାଶ୍ୱର୍ିକ ପରିସ୍ଥିତିରୁ ମଧ୍ୟ ଅନେକ କିଛି ଶିଖିଥାନ୍ତି । ଏମିତିରେ ପିଲାମାନେ ମଧ୍ୟ ଛୋଟ ଛୋଟ କଥାରେ ସମସ୍ତଙ୍କ ସହ ଝଗଡ଼ା କରିଥାନ୍ତି । ଦୁଷ୍ଟ ହୁଅନ୍ତି । ତେଣୁ ମାତା ପିତା ପରସ୍ପର ସହ ଉତ୍ତମ ଆଚରଣ ପ୍ରଦର୍ଶନ କଲେ ପିଲା ଆପଣଙ୍କ କଥା ନିଶ୍ଚିତ ଶୁଣିବେ ।