ହୋଲିକୁ ଫିକା କରୁଛି ତାତି, ଆକାଶରୁ ହେଉଛି ନିଆଁ ବର୍ଷା
ଦିନକୁ ଦିନ ଚିନ୍ତା ବଢ଼ାଇଲାଣି ତାତି। ଆଜି ହୋଲିରେ ବି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଇଚ୍ଛା ଥିଲେ ବି ବାହାରକୁ ଯାଇ ହୋଲି ଖେଳିବାକୁ ଲାଗୁଛି ଡ଼ର।
ଭୁବନେଶ୍ୱର: ଗୋଟେପଟେ ହୋଲି ପାଇଁ ସବୁଠି ଖୁସିର ମାହୋଲ ଥିବା ବେଳେ, ଅନ୍ୟପଟେ କୋଉଠି ନା କୋଉଠି ହୋଲିକୁ ଫିକା କରିଦେଉଛି ଟାଣ ଖରା। ବାହାରକୁ ଯାଇ ହୋଲି ଖେଳିବାକୁ ମନ ଥିଲେ ମଧ୍ୟ ପାଦ କୋଉଠି ନା କୋଉଠି ଟିକେ ପଛକୁ ଫେରି ଆସୁଛି।
କାରଣ ବାହାରେ ଯେଉଁଭଳି ଭାବରେ ତାତି ବଢ଼ୁଛି। ଏପରି ମନେ ହେଉଛି ଯେପରି ଆକାଶରୁ ନିଆଁ ବର୍ଷା ହେଉଛି। ହଁ ହୋଲିରେ ଆକାଶରୁ ନିଆଁ ବର୍ଷା ହେବା ଭଳି ମନେ ହେଉଛି। ଗତକାଲି ୩ ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିବା ବେଳେ, ଆଜି ଆହୁରି ତାତି ବଢିବ ବୋଲି ଆକଳନ କରାଯାଉଛି।
ଆଉ ଖରାକୁ ଆଖି ଆଗରେ ରଖି ୧୬ ତାରିଖ ଯାଏଁ ରାଜ୍ୟରେ ସିଭିୟର ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଆଜି ପାଇଁ ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଦିନକୁ ଦିନ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ପାରଦ। ଗତକାଲି ଯେଉଁଭଳି ଖରା ହେଉଥିଲା ନିଶ୍ଚିତ ଭାବରେ ଆଜି ଏହା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି। ଝାରସୁଗୁଡ଼ା, ସମ୍ବଲପୁର, ମୟୂରଭଞ୍ଜ ଜିଲ୍ଲାରେ ସିଭିୟର ହିଟ୍ ୱେଭ୍ ବା ପ୍ରବଳ ଗ୍ରୀଷ୍ମପ୍ରବାହ ଆଶଙ୍କା ଥିବା ବେଳେ, ସୁନ୍ଦରଗଡ଼, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ କରାଯାଇଛି।
ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଓ ଜଗତସିଂହପୁରରେ ଗରମ ସହ ଗୁଳୁଗୁଳି ଏବଂ ମାଲକାନଗିରିରେ ରାତି ତାପମାତ୍ରା ଅଧିକ ରହିପାରେ। ଆସନ୍ତା ୧୮ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।