Weather Updates: ଆସୁଛି ଆଉ ଏକ ଲଘୁଚାପ ; ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ
ଆସନ୍ତା ୧୩-୧୪ ତାରିଖ ବେଳକୁ କେନ୍ଦ୍ରୀୟ ତଥା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା । ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ...
ଭୁବନେଶ୍ୱର : ପାଣିପାଗକୁ ନେଇ ପୁଣି ଏକ ଗୁରୁତ୍ୱପୂର୍ଣ ଖବର ସାମ୍ନାକୁ ଆସିଛି। ଆସନ୍ତା ୧୧ ତାରିଖରୁ ରାଜ୍ୟରେ ପୁଣିଥରେ ବର୍ଷାର ପ୍ରଭାବ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ଆସନ୍ତା ୧୩-୧୪ ତାରିଖ ବେଳକୁ କେନ୍ଦ୍ରୀୟ ତଥା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ମାତ୍ରାଧିକ ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏହା ପ୍ରଭାବରେ ଆସନ୍ତା ୧୧ ତାରିଖରେ ମାଲକାନଗିରି ଓ କୋରାପୁଟରେ ସବୁଠୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଉଛି। ଏହାସହିତ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।
ବର୍ତ୍ତମାନ ଓଡ଼ିଶା ଉପରେ ମୌସୁମୀ ଟ୍ରଫ୍ ସହିତ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାଜନିତ ସ୍ଥିତି ସୃଷ୍ଟି ହେଉଛି। ଆଲର୍ଟ ଜାରି ହୋଇଥିବା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
ତେବେ ଆଉ ୪ଦିନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। ଅପରପକ୍ଷରେ ୧୨ ତାରିଖ ଶୁକ୍ରବାରଠାରୁ ରାଜ୍ୟରେ ବର୍ଷା ପରିମାଣ ହ୍ରାସ ପାଇବ। ୧୩ ତାରିଖଠାରୁ ନୂଆପଡ଼ା ଓ ନବରଙ୍ଗପୁର ଜିଲା ବ୍ୟତୀତ ବାକି ସବୁଠି ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ମନୋରମା କହିଛନ୍ତି। ତାଙ୍କ ସୂଚନାନୁସାରେ, ମଙ୍ଗଳବାର ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ କୌଣସି ଜିଲ୍ଲାକୁ ସତର୍କତା ଜାରି ହୋଇ ନ ଥିବାବେଳେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ବୁଧବାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରବଳ ବର୍ଷା ଓ ବାକି ରାଜ୍ୟର ସମସ୍ତ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପବନ ବହିବା ନେଇ ସତର୍କତା ଜାରି ହୋଇଛି।