fbpx

ରେପ ପରେ ନାବାଳିକାଙ୍କ ସହ କଲେ ଏମିତି କାମ: ମୃତ୍ୟୁ ସହ ସଂଗ୍ରାମ କରୁଛି ପୀଡିତା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଆସିଛି ଏକ ସଙ୍ଗୀନ ମାମଲା । ଯାହାକୁ ନେଇ ଏବେ ଦିଲ୍ଲୀ ପୋଲିସ ଉପରକୁ ଆଙ୍ଗୁଠି ଉଠିଛି । ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ସହିତ ଘଟିଯାଇଛି ଏକ ଛାତିଥରା ଘଟଣା । ନାବାଳିକାଙ୍କ ସହ ଦୁଷ୍କର୍ମ କରାଯିବା ପରେ ତାଙ୍କୁ ଏସିଡ ପିଆଇ ଦେଇଛନ୍ତି ଦୁର୍ବୃତ୍ତ । ତେବେ ଏହି ମାମଲାରେ ଏବେ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛି ମହିଳା ଆୟୋଗ । ମାଜିଷ୍ଟ୍ରେଟଙ୍କା ସାମନାରେ ହସ୍ପିଟାଲରେ ହିଁ ପୀଡିତାଙ୍କ ବୟାନ ରେକର୍ଡ କରିବା ପାଇଁ କୁହାଯାଇଛି ।

ସୂଚନା ଅନୁସାରେ, ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିବା ନେଇ ଏକ ମାମଲା ସାମନାକୁ ଆସିଥିଲା । ଦିଲ୍ଲୀ ମହିଳା ଆୟୋଗ ନିକଟରେ ଏ ନେଇ ଅଭିଯୋଗ କରିଥିଲେ ପୀଡିତା ଏବଂ ତାଙ୍କ ବାପା । ପୀଡିତାଙ୍କ ବାପା ଜଣେ ଦିନ ମଜୁରିଆ ହୋଇଥିବା ବେଳେ ତାଙ୍କ ଝିଅ(ପୀଡିତା) ଏଖ ଜୋତା ଫ୍ୟାକ୍ଟ୍ରିରେ କାମ କରୁଥିଲେ ।

ତେବେ ଫ୍ୟାକ୍ଟ୍ରିର ଜଣେ ଠିକାଦାର ଘରେ ପତ୍ନୀଙ୍କ ଦେହ ଖରାପ ବାହାନା କରି ଝିଅକୁ ଘରକୁ ଡାକି ନେଇଥିବା ଅଭିଯୋଗ କରିଛନ୍ତି ପୀଡିତାଙ୍କ ବାପା । ସେଠାରେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ଝିଅକୁ ଜବରଦସ୍ତି ଏସିଡ ପିଆଇ ଦେଇଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ପୀଡିତାଙ୍କ ବାପା । ବର୍ତ୍ତମାନ ପୀଡିତା ନାବାଳିକାଙ୍କ ଅବସ୍ଥା ଗମ୍ଭୀର ଥିବା ଜଣାଯାଇଛି ।

ତେବେ ଏ ମାମଲା ଉପରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିବାଲ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛି । ପୋଲିସକୁ ମାମଲାର ସବିଶେଷ ଜଣାଇବା ସହ ଯଥାଶୀଘ୍ର ପୀଡିତାଙ୍କ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରିବା ପାଇଁ ସୁପାରିଶ କରିଛନ୍ତି ସ୍ୱାତୀ । ତେବେ ମହିଳା ଆୟୋଗ ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଯଥାସମ୍ଭବ ନଜର ରଖିଛନ୍ତି ବୋଲି ଜଣାଯାଇଛି । ତେବେ ଏହି ଘଟଣାକୁ ପ୍ରାଥମିକତା ଦେଇ ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଯିବା ପାଇଁ ମହିଳା ଆୟୋଗ ଦାବି କରିଛି ।

Get real time updates directly on you device, subscribe now.