ମୁମ୍ବାଇ: ବଲିଉଡରେ ରାତାରାତି ଲୋକପ୍ରିୟ ହେବା ସହଜ କଥା ନୁହେଁ । ଏହା ପଛରେ ଅନେକ ସଂଘର୍ଷ ଲୁଚି ରହିଥାଏ । ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବା ପରେ ବଡ଼ ବଡ଼ ହିରୋ/ ହିରୋଇନଙ୍କ ସହ କାମ କରିବା ଅଧିକାଂଶ କଳାକାରଙ୍କ ଇଚ୍ଛା ଥାଏ । ଏଥିମଧ୍ୟରୁ କିଛି ଫିଲ୍ମ ହିଟ୍ ଓ କିଛି ଫ୍ଲପ୍ ହୋଇଥାଏ । କିନ୍ତୁ କ୍ରମାଗତ ଫ୍ଲପ୍ ଫିଲ୍ମ ଦେବା ପରେ ଅନେକ କଳାକାର ଲାଇମଲାଇଟରୁ ଦୂରେଇଯାଇଥାନ୍ତି । ପୁଣି ଥରେ କମବ୍ୟାକ୍ କରିବା ସେମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ପାଲଟିଥାଏ ।
ନିକଟରେ ୧୪ ବର୍ଷ ପରେ ସଞ୍ଜୟ ଲୀଲା ଭନସାଲୀଙ୍କ ହୀରାମଣ୍ଡିରେ କମବ୍ୟାକ୍ କରିଥିଲେ ଫରଦୀନ ଖାନ୍ । ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଅଭିନେତାଙ୍କ ବିଷୟରେ କହିବା ଯିଏକି ଦୀର୍ଘ ୯ ବର୍ଷର ଲମ୍ବା ବ୍ରେକ୍ ପରେ ସିନେ ପରଦାରେ ନଜର ଆସିବେ । ୨୦୦୮ରେ ‘ଜାନେ ତୁ ୟା ଜାନେ ନା’ ଫିଲ୍ମରୁ ସେ ବଲିଉଡରେ ପାଦ ଥାପିଥିଲେ । ସେ ହେଉଛନ୍ତି ମିଷ୍ଟର ପରଫେକ୍ସନିଷ୍ଟଙ୍କ ଭଣଜା ଇମରାନ ଖାନ୍ । ଇମରାନ ଖାନ ତାଙ୍କ ୧୬ ବର୍ଷ କ୍ୟାରିୟରରେ ୧୪ରୁ ଉର୍ଦ୍ଧ୍ୱ ଫିଲ୍ମରେ କାମ କରିଛନ୍ତି । ଆଇ ହେଟ୍ ଳଭ୍ ଷ୍ଟୋରିଜ୍(୨୦୧୦), ଦିଲ୍ଲୀ ବେଲୀ(୨୦୧୧), ମେରୀ ବ୍ରଦର କି ଦୁଲହନ(୨୦୧୧), ମଟରୁ କି ବିଜଲି କା ମନଡୋଲା(୨୦୧୩), ଗୋରୀ ତେରେ ପ୍ୟାର ମେ(୨୦୧୩), କଟ୍ଟି ବଟ୍ଟି(୨୦୧୫) ଆଦି ଫିଲ୍ମରେ କାମ କରିଥିଲେ । ଏଥିମଧ୍ୟରୁ କିଛି ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇଥିବା ବେଳେ ଅନେକ ଫ୍ଲପ୍ ରହିଥିଲା । ଖୁବ୍ ଶୀଘ୍ର ଇମରାନ ଦାନିଶ ଅସଲମଙ୍କ ନୂତନ ରୋମାଣ୍ଟିକ- କମେଡି ଫିଲ୍ମରେ ନଜର ଆସିବେ । ଦର୍ଶକ ତାଙ୍କ ଲଭର ବୟ ଭୂମିକାକୁ ବେଶ ପସନ୍ଦ କରିଥାନ୍ତି ।
ବର୍ତ୍ତମାନ ୪୧ ବର୍ଷୀୟ ଇମରାନ ଖାନଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଫ୍ୟାନ୍ସଙ୍କ ମନରେ ଉତ୍ସୁକତା ଦେଖିବାକୁ ମିଳିଛି । ଦର୍ଶକଙ୍କ ଉପରେ ଲଭର ବୟଙ୍କ ଯାଦୁ କେତେ ଦୂର ଚାଲୁଛି ଦେଖିବାକୁ ବାକି ରହିଲା ।