fbpx

ଏହା ପ୍ରଡକ୍ସନ ହାଉସ୍ ନୁହେଁ…ବିଳମ୍ବରେ ପହଞ୍ଚିବାରୁ ଅନନ୍ୟାଙ୍କୁ ତାଗିଦ୍ କଲେ ଏନସିବି ଅଧିକାରୀ

ମୁମ୍ବାଇ : ଡ୍ରଗ୍ସ କେସ୍ ମାମଲାରେ ଆର୍ୟନ ଖାନଙ୍କ ପରେ ଏବେ ଫସିଛନ୍ତି ନବାଗତା ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଅନନ୍ୟାଙ୍କୁ ମାରାଥନ ଜେରା କରୁଛନ୍ତି । ଏହି କ୍ରମରେ ଶୁକ୍ରବାର ମଧ୍ୟ ଅନନ୍ୟାଙ୍କୁ ଏନସିବି କାର୍ଯ୍ୟାଳୟରେ ହାଜର ହେବାର ଥିଲା । ହେଲେ ସେ ନିର୍ଦ୍ଧାରିତ ସମୟର ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ । ଏହାକୁ ନେଇ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଅନନ୍ୟାଙ୍କୁ ତାଗିଦ୍ କରିଛନ୍ତି ।

ଅନନ୍ୟା ପାଣ୍ଡେଙ୍କୁ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ପଚରା ଉଚୁରା ପାଇଁ ଏନସିବି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା । ହେଲେ ଶୁକ୍ରବାର ଅଭିନେତ୍ରୀ ଅପରାହ୍ନ ୨ଟାରେ କାର୍ଯ୍ୟାଳୟ ପହଞ୍ଚିଥିଲେ । ତିନି ଘଣ୍ଟା ବିଳମ୍ବରେ ପହଞ୍ଚିବା ନେଇ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ଅନନ୍ୟାଙ୍କୁ କଡା ତାଗିଦ୍ କରିଥିଲେ । ସେ ଅନନ୍ୟାଙ୍କୁ କହିଛନ୍ତି ଯେ, ଏନସିବି ପ୍ରଡକ୍ସନ ହାଉସ ନୁହେଁ ବରଂ କେନ୍ଦ୍ରୀୟ ଏଜେନ୍ସି କାର୍ଯ୍ୟାଳୟ । ଏଠାରେ ନିର୍ଦ୍ଧାରିତ ସମୟରେ ହାଜର ହେବାକୁ ପଡିବ ବୋଲି ଅଧିକାରୀ ଅନନ୍ୟାନଙ୍କୁ ଉପଦେଶ ଦେଇଛନ୍ତି ।

ଅନନ୍ୟା ପାଣ୍ଡେଙ୍କୁ ଶୁକ୍ରବାର ଏନସିବିର ଅଧିକାରୀମାନେ ପ୍ରାୟ ଚାରି ଘଣ୍ଟା ଧରି ଜେରା କରିଛନ୍ତି । ଏହା ପୂର୍ବରୁ ଅନନ୍ୟା ପାଣ୍ଡେ ଗୁରୁବାର ମଧ୍ୟ ଏନସିବି କାର୍ଯ୍ୟାଳୟରେ ହାଜର ହୋଇଥିଲେ । ଏନସିବି ତାଙ୍କର ଲ୍ୟାପଟପ୍ ଏବଂ ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି । ଆର୍ୟନ ଏବଂ ଅନନ୍ୟାଙ୍କ ମଧ୍ୟରେ ଗଞ୍ଜେଇ ବିଷୟରେ ଆଲୋଚନା ହୋଇଥିବା ଏନସିବିର ପଚରାଉଚୁରାରୁ ଜଣା ପଡିଛି ।

Get real time updates directly on you device, subscribe now.