fbpx

SI ପରୀକ୍ଷାରେ ବାରମ୍ବାର ବିଭ୍ରାଟ: ଏଥର ସବୁ ଜିଲ୍ଲାରେ ହେବ ପରୀକ୍ଷା, ନିଜ ପସନ୍ଦ ସେଣ୍ଟର ବାଛିବେ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସ ସବଇନ୍ସପେକ୍ଟର ବା ଏସଆଇ ପରୀକ୍ଷାରେ ବାରମ୍ବାର ବିଭ୍ରାଟ । ଗତ ୨୦ରେ ହୋଇଥିବା କମ୍ପ୍ୟୁଟର ବେସଡ ଟେଷ୍ଟକୁ ନେଇ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଥିଲା । କ୍ୱେଶ୍ଚିନ ଡାଉନଲୋଡ ହୋଇପାରୁନଥିବା ପରୀକ୍ଷାର୍ଥୀ ଅଭିଯୋଗ କରିଥିଲେ । ନିର୍ଦ୍ଦିଷ୍ଟ ସମୟରେ ପରୀକ୍ଷା ହୋଇପାରୁନଥିବାରୁ ତାହାକୁ ବାତିଲ କରାଯାଇଛି ।

SI ପଦରେ ନିଯୁକ୍ତି ଲାଗି ମିଳିତ ପୋଲିସ ସେବା ପରୀକ୍ଷା (ସିପିଏସ୍‌ଇ-୨୦୧୮)ରେ କିପରି ଆଉ ବିଭ୍ରାଟ ନହେବ ସେଥିଲାଗି ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି । ବିଭିନ୍ନ ବିଭ୍ରାଟ କାରଣରୁ ଅତୀତରେ ଦୁଇ ଥର ଏହି ପରୀକ୍ଷା ବନ୍ଦ ହୋଇସାରିଲାଣି । ତେଣୁ ଏଥର ଯେମିତି ପରୀକ୍ଷାରେ କୌଣସି ତ୍ରୁଟି ନହୁଏ ସେଥିପାଇଁ ବୋର୍ଡ ପକ୍ଷରୁ ସାନି ପ୍ରସ୍ତୁତି କରାଯାଉଛି । ଅନଲାଇନରେ ହେଉଥିବା ପରୀକ୍ଷାରେ ଓଡ଼ିଆ ପ୍ରଶ୍ନରେ ବାରମ୍ବାର ବିଭ୍ରାଟ ହେବାରୁ ଏଥର ଓଏମ୍‌ଆର ସିଟ୍‌ରେ ପରୀକ୍ଷା କରିବାକୁ ସ୍ଥିତ ହୋଇଛି । ଏଥିପାଇଁ ସେଣ୍ଟର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପ୍ରାର୍ଥୀମାନଙ୍କ ସୁବିଧା ପାଇଁ ରାଜ୍ୟର ସବୁ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ପାଇଁ ବୋର୍ଡ ନିଷ୍ପତ୍ତି ନେଇଛି । ପୂର୍ବରୁ ନିର୍ଦ୍ଦିଷ୍ଟ କିଛି ଜିଲ୍ଲାରେ ପରୀକ୍ଷା ହୋଇଥିବାରୁ ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର ଭଳି ଜିଲ୍ଲାର ପରୀକ୍ଷାର୍ଥୀମାନେ ସମସ୍ୟାରେ ପଡିଥିଲେ । ଏହାକୁ ଦୃଷ୍ଟିରେ ରଖି ଏଥର ସବୁ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏମିତିକି କିଛି ଜିଲ୍ଲାରେ ଏକାଧିକ ସ୍ଥାନରେ ମଧ୍ୟ ସେଣ୍ଟର୍‌ କରାଯିବ । ପ୍ରାର୍ଥୀମାନେ ନିଜ ପସନ୍ଦର ଅନୁସାରେ ସେଣ୍ଟରରେ ପରୀକ୍ଷା ଦେଇପାରିବେ ବୋଲି ବ୍ୟବସ୍ଥା କରାଯାଇଛି ।

ରିକ୍ରୁଟ୍‌ମେଣ୍ଟ୍‌ ବୋର୍ଡ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଓ ମେସେଜ୍‌ ପାଇଲା ପରେ ପ୍ରାର୍ଥୀମାନେ ଅନଲାଇନ୍‌ରେ ସେମାନଙ୍କ ସୁବିଧା ଅନୁସାରେ ସେଣ୍ଟର ଚୟନ କରିସାରିଛନ୍ତି । ସେଣ୍ଟର ଚୟନ ପ୍ରକ୍ରିୟା ଶେଷ ହୋଇଥିବାରୁ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ସୁଦ୍ଧା ପରୀକ୍ଷା ଶେଷ କରିବା ପାଇଁ ବୋର୍ଡ ଲକ୍ଷ୍ୟ ରଖିଥିବା ସୂଚନା ମିଳିଛି। ଏଥିଲାଗି ଖୁବଶୀଘ୍ର ବୋର୍ଡ ପକ୍ଷରୁ ୱେବସାଇଟରେ ଆଡମିଟ୍‌ କାର୍ଡ ଅପଲୋଡ୍‌ କରାଯିବ । ପରେ ପ୍ରାର୍ଥୀମାନେ ଡାଉନ୍‌ଲୋଡ୍‌ କରି ଆଡମିଟ୍‌ କାର୍ଡ ପାଇପାରିବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.