fbpx

ରାଜ୍ୟସଭା ନିର୍ବାଚନ: ହରିୟାଣାରେ ବିଗିଡ଼ିପାରେ କଂଗ୍ରେସର ଖେଳ, ଭୋଟ ପୂର୍ବରୁ ୩ ବିଧାୟକ ଗାଏବ୍

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସ ୧୦ ତାରିଖରେ ଦେଶର ୧୫ଟି ରାଜ୍ୟରେ ୫୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ ଓ ଅଗଷ୍ଟ ମାସରେ ଯଥାକ୍ରମେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ତା’ ପୂର୍ବରୁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ବେଶ୍ ଗୁରୁତ୍ୱ ବହନ କରୁଛି । ବିଶେଷ କରି କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ ଏହି ରାଜ୍ୟସଭା ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ରାଜ୍ୟସଭା ନିର୍ବାଚନ ପାଇଁ ହରିୟାଣା ରାଜନୀତି ସରଗରମ୍ ହେବାରେ ଲାଗିଛି । ଏଠାରେ କଂଗ୍ରେସ ପାଇଁ ରାଜ୍ୟସଭା ସିଟ୍ ବଞ୍ଚାଇବା ମୁସ୍କିଲ ହୋଇଗଲାଣି । ତେବେ କ୍ରସ୍ ଭୋଟିଂ ଡରରେ ସମସ୍ତ ବିଧାୟକଙ୍କୁ ଛତିଶଗଡ଼ ଶିଫ୍ଟ କରାଯାଇଥିଲା । ମାତ୍ର ୩ ଜଣ ବିଧାୟକଙ୍କର ବର୍ତ୍ତମାନ ପତ୍ତା ମିଳୁନାହିଁ, ଏମାନେ ରାୟପୁର ରିସର୍ଟରେ ପହଞ୍ଚି ନାହାନ୍ତି । ଗାଏବ ହୋଇଥିବା ବିଧାୟକଙ୍କ ମଧ୍ୟରେ ଦଳର ଜଣେ ଅସନ୍ତୁଷ୍ଟ ବିଧାୟକ କୁଲଦୀପ ବିଶ୍ନୋୟୀ ରହିଥିବା ଜଣାପଡ଼ିଛି । ଏହି ତିନି ବିଧାୟକଙ୍କୁ ନେଇ ଏବେ ପାର୍ଟିରେ ହଲଚଲ୍ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୫୦ ହୋଇଥିବା ବେଳେ ବେଳେ ଏହାର ସଦସ୍ୟମାନଙ୍କର କାର୍ଯ୍ୟକାଳ ୬ ବର୍ଷ ହୋଇଥାଏ । ପ୍ରତି ଦୁଇବର୍ଷରେ ରାଜ୍ୟସଭାର ଏକତୃତୀୟାଂଶ ସଦସ୍ୟ ଖାଲି ହୋଇଥାନ୍ତି । ଆସନ୍ତା ମାସରେ ଖାଲିଥିବା କିଛି ସିଟ୍ ପାଇଁ ୧୫ଟି ରାଜ୍ୟରେ ନିର୍ବାଚନ ହେବ । ତେଣୁ ରାଜ୍ୟସଭା ନିର୍ବାଚନରେ ଯେତେ ଅଧିକ ସଂଖ୍ୟକ ସିଟରେ ବିଜେପି ଜିତି ପାରିବ, ତାହା ଦଳ ପାଇଁ ସେତିକି ଲାଭଦାୟକ ସାବ୍ୟସ୍ତ ହେବ ।

Get real time updates directly on you device, subscribe now.