ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ପାଣିପାଗରେ ପରବର୍ତ୍ତନ ସାଙ୍ଗକୁ ବର୍ଷା, ଘଡ଼ଘଡ଼ି, ବନ୍ୟା, ବାତ୍ୟା ମଣିଷ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ବିଶେଷ କରି ବଜ୍ରପାତରେ ରାଜ୍ୟରେ ଅକାଳରେ ବହୁ ଜୀବନ ହାନୀ ହେଉଥିବା ଦେଖାଯାଉଛି । ଗତ ମାସରେ ବଜ୍ରପାତରେ ବାଲେଶ୍ୱର ଜିଲ୍ଲାରେ ୧୩ଟି ଗାଈ ପ୍ରାଣ ହରାଇଥିବ ବେଳେ ୧୨ରୁ ଅଧିକ ଗୁରୁତର ହୋଇଥିଲେ ।
ତେବେ ଏହା ମଧ୍ୟରେ ଆଜି ପୁଣି ବଜ୍ରପାତକୁ ନେଇ ଆସିଛି ଏକ ବଡ଼ ଖବର । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ବଜ୍ରପାତ ଘଟି ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଜଣେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତେ ଆସିଥିବା ବେଳେ ଅଚାନକ ବଜ୍ରପାତ ଘଟି ୩ ଜଣଙ୍କ ମୃତ୍ୟୁ ଘଟିବା ସହିତ ୪ ଜଣ ଆହତ ହୋଇଛନ୍ତି । ମୃତକମାନେ ଘର ଭିତରେ ଥିବା ସମୟରେ ହଠାତ୍ ଘର ଉପରେ ବଜ୍ରପାତ ମାରିଥିଲା । ଦାହ ସଂସ୍କାର ପ୍ରସ୍ତୁତି ସମୟରେ ବଜ୍ରପାତ ଘଟିଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କରଞ୍ଜିଆ ଏନଏସି ୧୫ ନମ୍ବର ୱାର୍ଡର ଅଙ୍କୁରାରେ ଏହି ଅଘଟଣ ଘଟିଛି । ଏହି ବଜ୍ରପାତ କାରଣରୁ ନିକଟରେ ଥିବା ଏକ ପାଳଗଦା ମଧ୍ୟ ଜଳିଯାଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷ ଧରି ରାଜ୍ୟରେ ବଜ୍ରପାତ ମୃତ୍ୟୁ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ବଜ୍ରପାତରେ ୮୮୧ ଜଣଙ୍କ ମୃତ୍ୟୁ ଘଟିବ ସହ ୫୨ ଜଣ ଅହତ ହେଇଥିଲେ । ରାଜ୍ୟ ସରକାରଙ୍କ ତରଫରୁ ପୀଡ଼ିତ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ବାବଦରେ ୩୫ କୋଟି ୨୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବଜ୍ରପାତ ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏକ ଲିଖିତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗତ ମାସରେ ରାଜସ୍ୱ ମନ୍ତ୍ରୀ ବିଧାନସଭାରେ ଏହି ତଥ୍ୟ ପ୍ରଦାନ କରିଥିଲେ ।