fbpx

ଗରମରେ କ୍ଷୀର ଛିଣ୍ଡି ଯାଉଥିଲେ ଫିିଙ୍ଗନ୍ତୁ ନାହିଁ, ତିଆରି କରନ୍ତୁ ଫ୍ରେସ୍ ପନିର

ବହୁ ସମୟରେ ଭୁଲ୍ ଉପାୟରେ ସାଇତି କରି ରଖିବା କାରଣରୁ କ୍ଷୀର ଖରାପ ହୋଇଯାଏ । ଖରାଦିନେ ଏହି ସମସ୍ୟା ଅଧିକ ଦେଖାଯାଏ । ଖରାଦିନେ ସାମାନ୍ୟ ଅସାବଧାନତା କାରଣରୁ କ୍ଷୀର ଛିଣ୍ଡି ଯାଏ । କିଛି ଲୋକ କ୍ଷୀର ଛିଣ୍ଡିଗଲା ପରେ ତାହା ଫିଙ୍ଗି ଦେଇଥାନ୍ତି ତ ଆଉ କିଛି ଲୋକ ଏହାକୁ ନ ଫିଙ୍ଗି କଣ କରିବେ ବୋଲି ଚିନ୍ତା କରିଥାନ୍ତି । ତେବେ ଆପଣ ଏହି ଛିଣ୍ଡା କ୍ଷୀରର ସଠିକ୍ ଉପଯୋଗ କରିବାକୁ ଚାହୁଁଥିଲେ ଏଥିରୁ ଫ୍ରେସ୍ ପନିର ତିଆରି କରନ୍ତୁ । ପନିର ତିଆରି ପରେ ଯେଉଁ ପାଣି ବଳିଯାଏ ଆପଣ ତାହାକୁ ଫିଙ୍ଗି ନ ଦେଇ ବିଭିନ୍ନ ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ତାହାର ଉପଯୋଗ କରିପାରିବେ । ଏହି କ୍ରମରେ ଆସନ୍ତୁ ଜାଣିବା ଛିଣ୍ଡା କ୍ଷୀରରୁ କିପରି ପନିର ପ୍ରସ୍ତୁତ କରିବେ ।
ଛିଣ୍ଡା କ୍ଷୀରରେ ଲେମ୍ବୁ ଚିପୁଡି ଦିଅନ୍ତୁ:
ଯଦି ଆପଣ କ୍ଷୀରକୁ ଫୁଟାଇବା ସମୟରେ ଏହା ଫାଟି ଯାଉଥିବାର ଦେଖୁଛନ୍ତି ତେବେ ତୁରନ୍ତ ଏଥିରେ ଲେମ୍ବୁ ଚିିପୁଡି ଦିଅନ୍ତୁ । ଏଥିପାଇଁ ଆପଣ ପ୍ରଥମେ ଗ୍ୟାସର ଆଞ୍ଚକୁ କମ୍ କରି ଦିଅନ୍ତୁ । ପରେ ଏକ ପାତ୍ରରେ ଗୋଟିଏ କିମ୍ବା ଦୁଇଟି ଲେମ୍ବୁ ଚିପୁଡି ଦିଅନ୍ତୁ ଓ ସେଥିରେ ଅଳ୍ପ ପାଣି ମିଶାଇ ଦିଅନ୍ତୁ । ଏବେ ଆପଣ ଗ୍ୟାସ୍ ରେ ରଖିଥିବା କ୍ଷୀରରେ ଏହି ରସକୁ ଧୀରେ ଧୀରେ ଢାଳନ୍ତୁ ଓ ଚାମଚରେ ଗୋଳାନ୍ତୁ । ଏପରି କରିବା ଦ୍ୱାରା କ୍ଷୀର ବହୁତ ଭଲ ଭାବରେ ଛିଣ୍ଡିଯିବ । ଏବେ ଆପଣ ସେହି କ୍ଷୀରକୁ ଏକ ଛଣାରେ ଛାଣି ଦିଅନ୍ତୁ । ଛଣାରେ ଥିବା ସେହି ଛେନାକୁ ଏକ କପଡାରେ ବାନ୍ଧି ଏହା ଉପରେ ଏକ ଭାରି ଜିନିଷ ମଡାଇ ରଖି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପନିର ।
ଭିନେଗାର ମଧ୍ୟ ମିଶାଇ ପାରିବେ:
ଯଦି ଆପଣଙ୍କ ଘରେ ଲେମ୍ବୁ ନାହିଁ ତେବେ ଆପଣ ଏହା ବଦଳରେ ସିରକା ବା ଭିନେଗାରର ବ୍ୟବହାର କରିପାରିବେ । ପ୍ରଥମେ କ୍ଷୀରକୁ ଭଲ ଭାବରେ ଗରମ କରି ନିଅନ୍ତୁ । ଏହା ଗରମ ହୋଇଯିବା ପରେ ଏକ ପାତ୍ରରେ ଏକ କିମ୍ବା ଦୁଇ ଠିପି ଧଳା ଭିନେଗାର ଢାଳନ୍ତୁ ଓ ସେଥିରେ ପାଣି ମିଶାଇ ଦିଅନ୍ତୁ । ଏବେ କ୍ଷୀରକୁ ହଲାଇ ହଲାଇ ସେଥିରେ ଏହି ଭିନେଗାର ପାଣି ମିଶାଇ ଦିଅନ୍ତୁ । ଏବେ କ୍ଷୀର ଭଲ ଭାବରେ ଫାଟିଯିବ । ଏହାକୁ ଛଣାରେ ଛାଣି ନିଅନ୍ତୁ । ଏହାପରେ କପଡାରେ ବାନ୍ଧି ଟାଙ୍ଗି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପନିର ।
ପନିର ପାଣିର ବ୍ୟବହାର:
ଯଦି ଆପଣଙ୍କ କ୍ଷୀର ପ୍ରାୟ ସମୟ ଛିଣ୍ଡି ଯାଉଛି ତେବେ ଆପଣ ଏହାର ପାଣିକୁ ଏକ ବୋତଲରେ ରଖି ଫ୍ରିଜ୍ ରେ ରଖି ଦିଅନ୍ତୁ । ଏହାପରେ ଆପଣଙ୍କୁ ଯେତେବେଳେ ବି ଲାଗୁଛି କ୍ଷୀର ଛିଣ୍ଡିବାକୁ ଯାଉଛି ସେତେବେଳେ ଆପଣ ଗରମ କ୍ଷୀରରେ ସେହି ପନିର ପାଣି ଭଲ ଭାବରେ ଢାଳି ମିଶାଇ ଦିଅନ୍ତୁ । ଧୀରେ ଧୀରେ କ୍ଷୀରରୁ ପାଣିି ଓ ଛେନା ଅଲଗା ହୋଇଯିବ । ଏହାକୁ ମଧ୍ୟ ଆପଣ ପନିର ପରି ଉପଯୋଗ କରିପାରିବେ ।

 

Get real time updates directly on you device, subscribe now.