ଆଜି ଶେଷ ଟି-୨୦, ଶୃଙ୍ଖଳା ପୋଛିବା ଲକ୍ଷ୍ୟରେ ଭାରତ

ବେଙ୍ଗାଲୁରୁ: ବୁଧବାର ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଶେଷ ମ୍ୟାଚ୍ ବେଙ୍ଗାଲୁରୁରେ ଖେଳାଯିବ । ପୂର୍ବରୁ ଭାରତୀୟ ଦଳ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଅଫଗାନିସ୍ତାନ ବିପକ୍ଷ ସିରିଜରେ ୨-୦ରେ ଆଗୁଆ ରହିଛି । ଏହି ଶେଷ ମ୍ୟାଚରେ ଭାରତୀୟ ଖେଳାଳୀଙ୍କ ପ୍ରଦର୍ଶନ ଅଧିକ ଗୁରୁତ୍ୱ ବହନ କରୁଛି । ବିଶ୍ୱକପକୁ ଆହୁରୀ ୫ ମାସ ସମୟ ବାକି ରହିଛି । ତେଣୁ ଏହି ମ୍ୟାଚ ପରେ ଆଇପିଏଲ୍ ଖେଳାଯିବାକୁ ଥିବାବେଳେ ବିଶ୍ୱକପ ଦଳରେ ଭାରତ ସ୍ଥାନ ପାଇବାକୁ ହେଲେ ବେଙ୍ଗାଲୁରୁରେ ଶେଷ ମ୍ୟାଚ୍ ଜିତିବାକୁ ହେବ । ମୋହାଲି ଓ ଇନ୍ଦୋର ମ୍ୟାଚ୍ ପରି ବେଙ୍ଗାଲୁରୁ ଟି-୨୦ ମ୍ୟାଚରେ ଭାରତୀୟ ଖେଳାଳୀ ଆକ୍ରମଣାତ୍ମକ ମନୋଭାବରେ ଖେଳିବ ବୋଲି ଆଶା କରାଯାଉଛି ।

ଶେଷ ମ୍ୟାଚରେ ସଞ୍ଜୁ ସାମସନ୍‌, କୁଲଦୀପ ଯାଦବ ଓ ଆୱେସ୍ ଖାନଙ୍କ ମଧ୍ୟରୁ ଜଣଙ୍କୁ ରୋହିତ ଖେଳିବା ପାଇଁ ସୁଯୋଗ ଦେଇ ପାରନ୍ତି । ଅପରପକ୍ଷରେ ଆଫଗାନିସ୍ତାନ ବୋଲର ଭାରତୀୟ ବ୍ୟାଟରଙ୍କୁ ନିୟନ୍ତ୍ରଣରେ ରଖିବାକୁ ସଂଘର୍ଷ କରିଆସୁଛି । ତେଣୁ ମହମ୍ମଦ ନବି ଓ ମୁଜିବ ଉର୍ ରହମାନଙ୍କ ଭଳି ଅଭିଜ୍ଞ ଖେଳାଳୀ ଶୃଙ୍ଖଳାର ସମ୍ମାନ ରଖିବା ପାଇଁ ଚେଷ୍ଟା କରିବେ । ଦ୍ୱିତୀୟ ମ୍ୟାଚେ;ର ବ୍ୟାଟରଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା । ଟସ୍ ଜିତି ଆଫଗାନିସ୍ତାନ ଦଳ ପ୍ରଥମେ ବୋଲିଂ କରିବା ପସନ୍ଦ କରିବା ନେଇ ଆକଳନ କରାଯାଉଛି ।
ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଜଶସ୍ୱୀ ଜୟସ୍ୱାଲ, ବିରାଟ କୋହଳି, ଶିବମ ଦୁବେ, ଜିତେଶ ଶର୍ମା(ୱିକେଟ ରକ୍ଷକ), ରିଂକୁ ସିଂହ, ଅକ୍ଷର ପଟେଲ, ୱାସିଂଟନ୍ ସୁନ୍ଦର, ଆର୍ଶଦୀପ ସିଂହ, ଆୱେସ ଖାନ୍‌/ରବି ବିଷ୍ଣୋଇ/ କୁଲଦୀପ ଯାଦବ, ମୁକେଶ କୁମାର ।
ସମ୍ଭାବ୍ୟ ଆଫଗାନିସ୍ତାନ ଦଳ: ଇବ୍ରାହିମ ଜଦ୍ରାନ୍‌(ଅଧିନାୟକ), ରହମନୁଲ୍ଲା ଗୁରବାଜ୍‌(ୱିକେଟ ରକ୍ଷକ), ଗୁଲବଦିନ ନାଏବ, ଅଜମାତୁଲ୍ଲା ଓମାରଜାଇ, ମହମ୍ମଦ ନବି, ନଜିବୁଲ୍ଲା ଜଦ୍ରାନ୍‌, କରିମ୍ ଜନତ, ମୁଜୀବ ଉର୍ ରହମାନ, ନୂର ଅହମଦ/କ୍ୱାଇସ ଅହମଦ, ନବୀନ ଉଲ୍ ହକ୍‌, ଫଜଲହକ୍ ଫାରୁକି ।