fbpx

ଆଜି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ‘କର ବା ମର’, ଲକ୍ଷ୍ନୌ ସହ ମୁକାବିଲା, ଦୁଇ ଦଳର ସମ୍ଭାବିତ ପ୍ଲେଇଙ୍ଗ XI

ମୁମ୍ବାଇ : ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୨ରେ ଏ ପର୍ଯ୍ୟନ୍ତ ନୈରାଶ ଜନକ ପ୍ରଦର୍ଶନ କରିଛି। ଦଳ ପାଞ୍ଚଟି ଖେଳି ସବୁ ମ୍ୟାଚରେ ପରାଜିତ ହୋଇଛି। ଫଳରେ ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିବା ଦଳ ପାଇଁ ମୁସ୍କିଲ ହୋଇ ପଡିଛି। ପ୍ଲେଅଫର ଆଶା ଉଜ୍ଜିବୀତ ରଖିବାକୁ ହେଲେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ମୁମ୍ବାଇ ଇଣ୍ଡିଆନ୍ସକୁ ଆଜି ଯେମିତି ହେଲେ ବିଜୟ ଦରକାର। ବ୍ରାବର୍ଣ୍ଣ ଷ୍ଟାଡିୟମରେ ମୁମ୍ବାଇ ଏବଂ ଲକ୍ଷ୍ନୌ ସୁପର ଜାୟଣ୍ଟସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ମୁମ୍ବାଇ ପାଇଁ କର ବା ମର ସଦୃଶ ରହିଛି।

ପ୍ରଥମ ଥର ମୁମ୍ବାଇକୁ ଟୁର୍ଣ୍ଣାମେଣ୍ଟରେ ଲଗାତାର ପାଞ୍ଚ ପରାଜୟ ମିଳି ନାହିଁ। କିନ୍ତୁ ପ୍ରଥମ ଥର ଦଳର ଥିଙ୍କ ଟ୍ୟାଙ୍କ ନିକଟରେ ଏମିତି ସ୍ଥିତିରୁ ମୁକୁଳିବାର କୌଣସି ଯୋଜନା ନଜର ଆସୁନାହିଁ। ବୋଲିଂରେ ଯଶପ୍ରୀତ ବୁମରା ରନ ବଞ୍ଚାଇବା ଏବଂ ଓ୍ଵିକେଟ୍ ନେବାରେ ସଫଳ ହୋଇଛନ୍ତି। କିନ୍ତୁ ବାକି ବୋଲର ଦଳକୁ ନିରାଶ କରିଛନ୍ତି। ଲକ୍ଷ୍ନୌ ବିପକ୍ଷ ଆଜିର ମୁକାବିଲାରେ ମୁମ୍ବାଇ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିପାରେ। ଦଳ ପ୍ରବନ୍ଧକ ଦ୍ରୁତ ବୋଲର ଟାଇମଲ ମିଲ୍ସଙ୍କ ସ୍ଥାନରେ ଫାବିୟନ ଏଲନଙ୍କୁ ସୁଯୋଗ ଦେଇପାରେ।

ଅନ୍ୟପଟେ କେଏଲ ରାହୁଲଙ୍କ ନେତୃତ୍ଵାଧୀନ ଲକ୍ଷ୍ନୌ ସୁପର ଜାୟଣ୍ଟସ ଦଳ ବର୍ତ୍ତମାନ ସୁଦ୍ଧା ପାଞ୍ଚଟି ମ୍ୟାଚରୁ ତିନି ବିଜୟ ସହ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଦଳକୁ ନିଜର ଶେଷ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ହାତରୁ ପରାଜିତ ହେବାକୁ ପଡିଥିଲା। ଏମିତିରେ ଦଳ ପୁଣି ଥରେ ବିଜୟ ମାର୍ଗକୁ ଫେରିବାକୁ ଚେଷ୍ଟା କରିବ। ଦଳ ଚୂଡାନ୍ତ ଏକାଦଶରେ ଗୋଟିଏ କିମ୍ବା ଦୁଇଟି ପରିବର୍ତ୍ତନ କରିପାରେ। ପୂର୍ବତନ ଭାରତୀୟ ଓପନିଂ ବ୍ୟାଟସମ୍ୟାନ ଗୌତମ ଗମ୍ଭୀର ଦଳର ମେଣ୍ଟର ଅଛନ୍ତି। ତେଣୁ ଦଳ ମ୍ୟାଚ୍ ଜିତିବାକୁ ଦୃଷ୍ଟିରେ ରଖି ସେହି ପରି ଖେଳାଳିଙ୍କୁ ପଡିଆକୁ ଓହ୍ଲାଇପାରେ।

ଦୁଇ ଦଳର ସମ୍ଭାବିତ ଚୂଡାନ୍ତ ଏକାଦଶ

ମୁମ୍ବାଇ ଇଣ୍ଡିଆନ୍ସ- ରୋହିତ ଶର୍ମା(ଅଧିନାୟକ), ଇଶାନ କିଷନ(ଓ୍ଵିକେଟ୍ କିପର), ଡେଓ୍ଵାଲ୍ଡ ବ୍ରେଭିସ, ସୂର‌୍ୟ୍ୟକୁମାର ଯାଦବ, କିରଣ ପୋଲାର୍ଡ, ଫାବିଏନ ଏଲନ, ଜୟଦେବ ଉନାଦକତ, ମୁରୁଗନ ଅଶ୍ଵିନ, ଯଶପ୍ରୀତ ବୁମରା, ବାସିଲ ଥମ୍ପି।

ଲକ୍ଷ୍ନୌ ସୁପର ଜାୟଣ୍ଟସ- କେଏଲ ରାହୁଲ(ଅଧିନାୟକ), କ୍ଵିଣ୍ଟନ ଡିକକ୍(ଓ୍ଵିକେଟ୍ କିପର), ମାର୍କସ ଷ୍ଟୋଇନିସ, ଦୀପକ ହୁଡ୍ଡା, ଆୟୁଷ ବାଦୋନି, କୃଣାଲ ପାଣ୍ଡ୍ୟା, ଜାସନ ହୋଲଡର, କୃଷ୍ଣପ୍ପା ଗୌତମ, ଦୁଷ୍ମନ୍ତା ଚମିରା, ରବି ବିଷ୍ଣୋଇ, ଅଭେଶ ଖାନ।

Get real time updates directly on you device, subscribe now.