fbpx

ଟୋକିଓ ୨୦୨୦: ଭାରତୀୟ ହକି ଦଳର ଶୋଚନୀୟ ପରାଜୟ

ନୂଆଦିଲ୍ଲୀ: ପ୍ରଥମ ମ୍ୟାଚରେ ବିଜୟୀ ହେବା ପରେ ଦ୍ୱିତୀୟ ମ୍ୟାଚରେ ଶୋଚନୀୟ ପରାଜୟ ବରଣ କରିଛି ଭାରତୀୟ ପୁରୁଷ ହକି ଦଳ । ରବିବାର ଅନୁଷ୍ଠିତ ମ୍ୟାଚରେ ଭାରତ ୭-୧ରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଅଷ୍ଟ୍ରେଲିଆ ଆକ୍ରମଣ ସମ୍ମୁଖରେ ଭାରତୀୟ ଡିଫେନ୍ସ ସମ୍ପୂର୍ଣ୍ଣ ନିଷ୍ପ୍ରଭ ମନେ ହେଇଥିଲା । ମ୍ୟାଚ ପ୍ରାରମ୍ଭରୁ ଅଷ୍ଟ୍ରେଲିଆ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ହେଁ ୧୦ମ ମିନିଟରେ ଦଳକୁ ପ୍ରଥମୁ ସଫଳତା ମିଳିଥିଲା । ଜେମ୍ସ ବିଲେଙ୍କ ଗୋଲ ବଳରେ ଭାରତ ୧-୦ରେ ପଛୁଆ ରହିଥିଲା ।

ମ୍ୟାଚର ୧୩ ଓ ୧୫ ତମ ମିନିଟରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ଭାରତ ଏହାର ଫାଇଦା ଉଠାଇ ପାରିନଥିଲା । ଦ୍ୱିତୀୟ କ୍ୱାର୍ଟରରେ କିନ୍ତୁ ଅଷ୍ଟ୍ରେଲିଆ ଚମକ୍ରାର ପ୍ରଦର୍ଶନ ସହିତ ୩ ଗୋଲ ସ୍କୋର କରିଥିଲା । ଜେରେମି ହେୱାର୍ଡ(୨୧), ଆଣ୍ଡ୍ର୍ୟୁ ଓଗ୍ଲିବି(୨୩) ଓ ଜୋଶୁଆ ବ୍ଲେଟ୍ଜ(୨୬) ୩ଟି ଗୋଲ ସ୍କୋର କରିଥିଲେ । ଦ୍ୱିତୀୟ କ୍ୱାର୍ଟର ସୁଦ୍ଧା ଭାରତ ୪-୦ରେ ପଛୁଆ ରହିଥିଲା । ତୃତୀୟ କ୍ୱାର୍ଟରର ୪ର୍ଥ ମିନିଟରେ ରୂପିନ୍ଦର ପାଲ ସିଂଙ୍କ ଶଟକୁ ଗୋଲ ପୋଷ୍ଟକୁ ପଠାଇ ଭାରତ ପାଇଁ ଏକମାତ୍ର ଗୋଲ ସ୍କୋର କରିଥିଲେ ଦିଲପ୍ରୀତ ସିଂ ।

୪୦ତମ ମିନିଟରେ ବ୍ଲେକ୍ ଗୋଭର୍ସଙ୍କ ପେନାଲ୍ଟି କର୍ଣ୍ଣର ଗୋଲ ସହିତ ଅଷ୍ଟ୍ରେଲିଆର ଅଗ୍ରଣୀ ୫-୧ରେ ପହଞ୍ଚିଥିଲା । ଏହାର ଦୁଇ ମିନିଟ ପରେ ଆଉ ଏକ ପେନାଲ୍ଟିକୁ ଗୋଲରେ ପରିଣତ କରିଥିଲେ ଗୋଭର୍ସ । ଅନ୍ତିମ କ୍ୱାର୍ଟରରେ ୫୧ ତମ ମିନିଟରେ ଟିମ ବ୍ରାଣ୍ଡଙ୍କ ଗୋଲ ବଳରେ ଅଷ୍ଟ୍ରେଲିଆ ମ୍ୟାଚକୁ ୭-୧ରେ ଜିତି ନେଇଥିଲା । ବ୍ଲେକ୍ ଗୋଭର୍ସଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.