ସ୍ତ୍ରୀ ମେଲାନିଆଙ୍କୁ ପ୍ରଶଂସା କଲେ ଟ୍ରମ୍ପ, କହିଲେ ତାଙ୍କ ପାଇଁ ପୁଟିନଙ୍କ ପ୍ରତି ମୋର ଦୃଷ୍ଟିକୋଣ ବଦଳିଛି

ୱାଶିଂଟନ,୧୬ା୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବା ପରଠାରୁ ସେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଏକ ଶାନ୍ତି ଚୁକ୍ତି କରିବାକୁ ଚେଷ୍ଟା କରୁଛନ୍ତି। ଟ୍ରମ୍ପ ଏହି ସମ୍ପର୍କରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଅନେକ ଥର କଥା ହୋଇଛନ୍ତି ଏବଂ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ବର୍ତ୍ତମାନ ଗତ କିଛି ଦିନ ଧରି ଟ୍ରମ୍ପ ନିରନ୍ତର ପୁଟିନଙ୍କୁ ଚେତାବନୀ ଦେଇ ଆସୁଛନ୍ତି। ଆମେରିକା ରାଷ୍ଟ୍ରପତି ପ୍ରକାଶ କରିଛନ୍ତି ଯେ, ତାଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ ତାଙ୍କୁ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଏବଂ ପୁଟିନଙ୍କ ବିଷୟରେ ତାଙ୍କର ଚିନ୍ତାଧାରାକୁ ପରିବର୍ତ୍ତନ କରିବାରେ ବହୁତ ସାହାଯ୍ୟ କରିଛନ୍ତି।

ନାଟୋ ସଚିବ ଜେନେରାଲ ମାର୍କ ରୁଟଙ୍କ ସହ ଏକ ସାକ୍ଷାତ ସମୟରେ, ଟ୍ରମ୍ପ କହିଥିଲେ ମେଲାନିଆ ତାଙ୍କୁ ବୁଝାଇଥିଲେ ଯେ, ରୁଷ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ସହିତ ଶାନ୍ତି ଚୁକ୍ତି ଉପରେ ନିଜ କଥାରୁ ଓହରି ଯାଉଛନ୍ତି। ଟ୍ରମ୍ପ ଏକ ଘଟଣାର ଉଲ୍ଲେଖ କରି କହିଛନ୍ତି, ମୁଁ ଏକ ଫୋନ୍ ବାର୍ତ୍ତାଳାପରେ ପୁଟିନଙ୍କ ସହ ଶାନ୍ତି ଚୁକ୍ତି ବିଷୟରେ କଥା ହୋଇଥିଲି। ମେଲାନିଆ ଦେଖିଲେ ଯେ, ଏହା ପରେ ମଧ୍ୟ ରୁଷ ଲଗାତର ଆକ୍ରମଣ କରୁଛି। ସେ ମୋତେ କହିଥିଲେଯେ ପୁଟିନ ଯାହା କହୁଛନ୍ତି ଏବଂ ସେ ଯାହା କରୁଛନ୍ତି ତାହା ମେଳ ଖାଉନାହିଁ।

ଟ୍ରମ୍ପ ପୂର୍ବରୁ ବହୁ ଥର ପୁଟିନଙ୍କୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ଜଣେ ପ୍ରତିଭାଶାଳୀ ବୋଲି ମଧ୍ୟ କହିଛନ୍ତି। ଟ୍ରମ୍ପ କହିଛନ୍ତି, ମେଲାନିଆଙ୍କ କଥା ତାଙ୍କୁ ତାଙ୍କ ଉଦ୍ଦେଶ୍ୟ ଉପରେ ବିଶ୍ୱାସ କରିବା ବିଷୟରେ ଅଧିକ ସତର୍କ କରିଥିଲା। ନାଟୋ ସେକ୍ରେଟାରୀ ଜେନେରାଲଙ୍କ ସହ କଥା ହୋଇ ଟ୍ରମ୍ପ କହିଛନ୍ତି, ପୁଟିନଙ୍କ ସହ ମୋର ବହୁତ ଭଲ କଥାବାର୍ତ୍ତା ହୋଇଛି ଏବଂ ସେହି ରାତିରେ ସେ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି।

ଟ୍ରମ୍ପ କହିଛନ୍ତି, ମୁଁ ଘରେ ପହଞ୍ଚି ମେଲାନିଆଙ୍କୁ କହିଲି ଯେ ମୁଁ ଆଜି ପୁଟିନଙ୍କ ସହ କଥା ହୋଇଛି। ଆମର ଆଲୋଚନା ବହୁତ ଭଲ ଥିଲା। ଏହା ଉପରେ ମେଲାନିଆ କହିଲେ, ପ୍ରକୃତରେ? ଆଉ ଏକ ସହର ଉପରେ ଆକ୍ରମଣ ହୋଇଛି। ଏହା ପରେ ମୁଁ ଟିଭି ଚାଲୁ କଲି। ମେଲାନିଆ ମୋତେ କହିଥିଲେ ଏହା ଅଜବ କାରଣ ରୁଷ ଏକ ନର୍ସିଂ ହୋମରେ ବୋମା ପକାଇଛି। ଏବେ ଟ୍ରମ୍ପ ପୁଟିନଙ୍କୁ ଚେତାବନୀ ଦେଇଛନ୍ତି। ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ସେ ପୁଟିନଙ୍କ ଉପରେ ଅସନ୍ତୁଷ୍ଟ। ସେ ବହୁ ଲୋକଙ୍କ ହତ୍ୟା ପାଇଁ ପୁଟିନଙ୍କୁ ଦାୟୀ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ରୁଷ ଆକ୍ରମଣରୁ ରକ୍ଷା କରିବା ପାଇଁ ଆମେରିକା ୟୁକ୍ରେନକୁ ସାମରିକ ସହାୟତା ବୃଦ୍ଧି କରିବାକୁ ଯୋଜନା କରୁଛି। ସେ ଚେତାବନୀ ଦେଇଥିଲେ ଯଦି ୫୦ ଦିନ ମଧ୍ୟରେ ୟୁକ୍ରେନରେ ଯୁଦ୍ଧ ସମାପ୍ତ କରିବା ପାଇଁ କୌଣସି ଚୁକ୍ତି ନହୁଏ, ତେବେ ରୁଷ ଉପରେ କଠୋର ଶୁଳ୍କ ଲାଗୁ କରାଯିବ।