fbpx

ଚୀନ ସହ ଲଢେଇରେ ଓଟ ଭାରତୀୟ ସେନାକୁ କରିବେ ସହଯୋଗ !

ନୂଆଦିଲ୍ଲୀ: ପର୍ବତର ଉଚ୍ଚ ଶିଖର, ଅପ୍ରତ୍ୟାଶିତ ପାଣିପାଗ ଓ ବୈଷୟିକ ବିକଳ୍ପର ଅଭାବ ପାଇଁ ଲଦାଖରେ ଦୁଇ କୁଜର ଓଟଙ୍କୁ ସେନାରେ ସାମିଲ କରିବାକୁ ଯାଉଛି ସେନା । ଲଦାଖରେ ଏହି ଓଟଙ୍କ ପ୍ରଶିକ୍ଷଣ ମଧ୍ୟ ଆରମ୍ଭ ହୋଇଗଲାଣି । ଲେହର ଡିଫେନ୍ସ ଇନଷ୍ଟିଚ୍ୟୁଟ୍ ଅଫ ହାଇ ଅଲଟିୟୁଟ ରିସର୍ଚ୍ଚ (ଡିହାର) ଜଙ୍ଗଲୀ ଓଟଙ୍କୁ ତାଲିମ ଦେଉଛି । ସମ୍ପୂର୍ଣ୍ଣ ଜଙ୍ଗଲୀ ଏହି ଓଟଙ୍କୁ ଆଜ୍ଞା ପାଳନ କରିବା ଶିଖା ଯାଉଛି । ଏହି ଦୁଇ କୁଜଧାରୀ ଓଟଙ୍କୁ ବେକ୍ଟ୍ରିୟମ ଓଟ ମଧ୍ୟ କୁହାଯାଏ ।

ବେକ୍ଟ୍ରିୟମ ଓଟ ବହୁ ଶକ୍ତିଶାଳୀ ହୋଇଥାଏ । ପର୍ବତ ଶିଖରରେ ଅତ୍ୟଧିକ ଥଣ୍ଡାରେ ମଧ୍ୟ ଜୀବିତ ରହିପାରେ । ଏଥିସହ, ଦୁଇ ସପ୍ତାହ ଯାଏଁ ନ ଖାଇ ସୁସ୍ଥ ରହିଥାଏ । ମଧ୍ୟ ଏସିଆରେ ଏହି ଶ୍ରେଣୀର ଓଟଙ୍କୁ ବୋଝ ବୁହାଇବା କାମରେ ଲଗାଯାଏ । ଅତ୍ୟଧିକ ଥଣ୍ଡା, ବିରଳ ଜଳବାୟୁରେ ମଧ୍ୟ ଆରାମରେ ୧୫୦ରୁ ଅଧିକ କିଲୋର ଜିନିଷ ନେବା ଆଣିବାର ଶକ୍ତି ଏହି ଓଟଙ୍କର ରହିଛି ।

ଲେହର ରିମାଉଣ୍ଟ ଭେଟେନାରୀ କୋରର କର୍ନଲ ରବିକାନ୍ତ ଶର୍ମା କହିଛନ୍ତି କି, ପ୍ରାଚୀନ କାଳରେ ପରିବହନ ପାଇଁ ଏହି ଓଟଙ୍କ ବହୁଳ ବ୍ୟବହାର ହୋଇଥାଏ । କିନ୍ତୁ ପରବର୍ତ୍ତିସମୟରେ ଏମାନଙ୍କୁ ବଶ କରିବା ଓ ତାଲିମ ଦେବାର କଳା ମଣିଷ ଭୁଲିଗଲା । ଏବେ ସେନା ଏମାନଙ୍କୁ ନେଇ କାମ କରିବାକୁ ଉଦ୍ୟମ କରିଛି । କାରଣ ସେନା ପାଇଁ ସେମାନଙ୍କ ଖାଦ୍ୟ ସାମଗ୍ରୀ, ଅନ୍ୟାନ୍ୟ ଜିନିଷ ଯୋଗାଣ ଲଦାଖ କ୍ଷେତ୍ରରେ ଏକ ଚ୍ୟାଲେଞ୍ଜ ହୋଇଛି ।
ମୁଖ୍ୟତଃ ଏହି ଅଞ୍ଚଳର ଅଚାନକ ଭାରି ତୁଷାରପାତ ପାଇଁ ଅନେକ ସମୟରେ ସୈନ୍ୟ ଛାଉଣିକୁ ସେମାନଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଯାଇପାରି ନ ଥାଏ । ଏଥିସହ, ଚୀନ ସୀମାକୁ ଲାଗିଥିବା ଏହି ସମ୍ବେଦନଶୀଳ ଇଲାକାରେ ପର୍ଯ୍ୟାପ୍ତ ଯୁଦ୍ଧାସ୍ତ୍ର ପରିବହନ ମଧ୍ୟ ସେନା ପାଇଁ କଷ୍ଟକର ହୋଇଥାଏ । ଏହି ଜୀବ ସୀମାରେ ସେନାକୁ ସହାୟକ ହେବ ବୋଲି ଆଶା କରାଯାଉଛି ।

 

Get real time updates directly on you device, subscribe now.