fbpx

UGC ବୃଦ୍ଧି କଲା ଫେଲୋଶିପ୍ ରାଶି: ଉପକୃତ ହେବେ ହଜାର ହଜାର ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଆସିଛି ଏକ ବଡ଼ ଖୁସି ଖବର । ୟୁଜିସି ପକ୍ଷରୁ ଜୁନିୟର ରିସର୍ଚ୍ଚ ଫେଲୋଶିପ (ଜେଆରଏଫ), ସିନିୟର ରିସର୍ଚ୍ଚ ଫେଲୋଶିପ (ଏସଆରଏଫ) ଓ ଡକ୍ଟରାଲ ଫେଲୋଶିପ ରାଶି ବୃଦ୍ଧି ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଫେଲୋଶିପର ସଂଶୋଧିତ ନିୟମ ଲାଗୁ ହେବ ।

ତେବେ ୟୁଜିସିର ଏହି ନିଷ୍ପତ୍ତି ଫଳରେ ପାଖାପାଖି ୩୧ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ । ସାଇନ୍ସ, ହ୍ୟୁମାନିଟିଜ ଓ ସୋସିଆଲ ସାଇନ୍ସରେ ଜେଆରଏଫ ଓ ଏସଆରଏଫ, ସିଙ୍ଗଲ ଗାର୍ଲ ଚାଇଲ୍ଡ ପାଇଁ ସାବିତ୍ରୀବାଈ ଜ୍ୟୋତିରାଓ ଫୁଲେ ଫେଲୋଶିପ, ଡ. ଡିଏସ କୋଠାରୀ ପୋଷ୍ଟ ଡକ୍ଟରାଲ ଫେଲୋଶିପ (ଡିଏସକେପିଡିଏଫ), ମହିଳାଙ୍କ ପାଇଁ ପୋଷ୍ଟ ଡକ୍ଟରାଲ ଫେଲୋଶିପ ରାଶିରେ ସଂଶୋଧିତ କରାଯାଇଛି । କେବଳ ବର୍ତ୍ତମାନର ବିଦ୍ୟାର୍ଥୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି ।

ଗତ ମାସ ୨୦ ତାରିଖରେ ଆୟୋଜିତ ହୋଇଥିବା ୫୭୨ତମ ବୈଠକରେ ଫେଲୋଶିପ ସଂଶୋଧିତ ଉପରେ ବିଚାରବିମର୍ଶ କରାଯାଇ ତାହାକୁ ମଞ୍ଜୁରୀ ଦିଆଯାଇଥିଲା । ହ୍ୟୁମାନିଟିଜ ଓ ସୋସିଆଲ ସାଇନ୍ସ ଜେଆରଏଫରେ ପୂର୍ବରୁ ୨ ବର୍ଷ ପାଇଁ ପ୍ରତି ମାସରେ ୩୧ ହଜାର ଟଙ୍କା ମିଳୁଥିବା ବେଳେ ଏବେ ୩୭ ହଜାର ଟଙ୍କା ମିଳିବ । ସେହିପରି ହ୍ୟୁମାନିଟିଜ ଓ ସୋସିଆଲ ସାଇନ୍ସ ଏସଆରଏଫରେ ପୂର୍ବରୁ ମାସକୁ ୩୫ ହଜାର ମିଳୁଥିବା ବେଳେ ଏବେ ୪୨ ହଜାର ଟଙ୍କା ମିଳିବ । ସିଙ୍ଗଲ ଗାର୍ଲ ଚାଇଲ୍ଡ ପାଇଁ ସାବିତ୍ରୀବାଈ ଜ୍ୟୋତିରାଓ ଫୁଲେ ଫେଲୋଶିପରେ ପୂର୍ବରୁ ୨ ବର୍ଷ ପାଇଁ ମାସକୁ ୩୧ ହଜାର ମିଳୁଥିବା ବେଳେ ଏବେ ୩୭ ହଜାର ମିଳିବ । ଡିଏସକେପିଡିଏଫରେ ପୂର୍ବରୁ ମାସକୁ ୫୪ ହଜାର ମିଳୁଥିବା ବେଳେ ଏବେ ୬୭ ହଜାର ମିଳିବ । ପୋଷ୍ଟ ଡକ୍ଟରାଲ ଫେଲୋଶିପରେ ପୂର୍ବରୁ ୩ ବର୍ଷ ପାଇଁ ୪୭ ହଜାର, ୪୯ ହଜାର ଓ ୫୪ ହଜାର ମିଳୁଥିବା ବେଳେ ଏବେ ୫୮ ହଜାର, ୬୧ ହଜାର ଓ ୬୭ ହଜାର ମିଳିବ । ମହିଳା, ଏସସି / ଏସଟିଙ୍କ ପାଇଁ ଉଦ୍ଦିଷ୍ଟ ପୋଷ୍ଟ ଡକ୍ଟରାଲ ଫୋଲୋଶିପ, ଡ. ଏସ ରାଧାକୃଷ୍ଣ ପୋଷ୍ଟ ଡକ୍ଟରାଲ ଫେଲୋଶିପରେ ପୂର୍ବରୁ ୪୭ ହଜାର, ୪୯ ହଜାର ଓ ୫୪ ହଜାର ମିଳୁଥିବା ବେଳେ ଏବେ ୫୮ ହଜାର, ୬୧ ହଜାର ଓ ୬୭ ହଜାର ଟଙ୍କା ମିଳିବ ।

Get real time updates directly on you device, subscribe now.