fbpx

ରୁଷ ଆଗରେ ମୁଣ୍ଡ ନୁଆଁଇଲା ୟୁକ୍ରେନ ? ନାଟୋ ଉପରେ ବଡ ବୟାନ ଦେଲେ ରାଷ୍ଟ୍ରପତି ଜେଲେନସ୍କି

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ପଛର ବଡ କାରଣ ୟୁକ୍ରେନ ସୈନ୍ୟ ସଂଗଠନ ନାଟୋରେ ସାମିଲ୍ ହେବାକୁ ଚାହୁଁଥିଲା। କିନ୍ତୁ ବର୍ତ୍ତମାନ ୟୁକ୍ରେନର ଏହି ଇଚ୍ଛା ମରି ମରି ଯାଉଛି। ଏହା ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି, ତାଙ୍କ ଦେଶ ନାଟୋରେ ସାମିଲ୍ ହେବାକୁ ଆଉ ଗୁରୁତ୍ଵ ଦେଉ ନାହିଁ। ସେ ଏହା ମଧ୍ୟ କହିଛନ୍ତି, ରୁଷ ମାନ୍ୟତା ଦେଇଥିବା ୟୁକ୍ରେନର ଦୁଇ ବିଚ୍ଛିନ୍ନତାବାଦୀ ଅଞ୍ଚଳ ଡୋନେସ୍କ ଏବଂ ଲୁହାନସ୍କ ଉପରେ ରାଜିନାମା କରିବାକୁ ପ୍ରସ୍ତୁତ। ପୁଟିନ୍ ୟୁକ୍ରେନ ଉପରେ ଆକ୍ରମଣ କରିବାର ଠିକ୍ ଦୁଇ ଦିନ ପୂର୍ବରୁ ଏହି ଦୁଇ ଅଞ୍ଚଳକୁ ସ୍ଵତନ୍ତ୍ର ଅଞ୍ଚଳର ମାନ୍ୟତା ଦେଇଥିଲା।

ଜେଲେନସ୍କି ଆମେରିକାର ଟିଭି ଚ୍ୟାନେଲ ଏବିସିକୁ ସୋମବାର ଏକ ସ୍ଵତନ୍ତ୍ର ସାକ୍ଷାତକାର ଦେଇଥିଲେ। ଏଥିରେ ସେ ନାଟୋ, ପୁଟିନ୍ ଏବଂ ରୁଷ ଦ୍ଵାରା ମାନ୍ୟତା ଦିଆଯାଇଥିବା ଦୁଇଟି ଅଞ୍ଚଳ ଉପରେ ଖୋଲାଖୋଲି ଆଲୋଚନା କରିଛନ୍ତି। ତାଙ୍କର ସାକ୍ଷାତକାରରୁ ଜଣା ପଡୁଛି ଯେ, ଏବେ ଜେଲେନସ୍କି ରୁଷ ପ୍ରତି ନରୋମଭାବ ପୋଷଣ କରୁଛନ୍ତି।

ଜେଲେନସ୍କି କହିଛନ୍ତି, ନାଟୋରେ ୟୁକ୍ରେନ ସାମିଲ୍ ହେବା ଉପରେ ଆଉ ଗୁରୁତ୍ଵ ଦିଆଯାଉ ନାହିଁ। ସେ ନାଟୋ ପ୍ରତି ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ମୁଁ ବୁଝି ସାରିଛି ନାଟୋ ଆମକୁ ନିଜ ସଂଗଠନରେ ସାମିଲ୍ କରିବାକୁ ଚାହୁଁନାହିଁ। ତେଣୁ ମୁଁ ନାଟୋରେ ସାମିଲ୍ ହେବା ପ୍ରଶ୍ନକୁ ପଛରେ ପକାଇ ସାରିଛି। ନାଟୋ ବିବାଦୀୟ ପ୍ରସଙ୍ଗ ଏବଂ ରୁଷ ସହିତ ମୁହାଁମୁହିଁ ହେବାକୁ ଭୟ କରୁଛି ବୋଲି ଜେଲେନସ୍କି କହିଛନ୍ତି।

ୟୁକ୍ରେନର ନାଟୋରେ ସାମିଲ୍ ହେବା ସ୍ଥିତି ସ୍ପଷ୍ଟ କରି ଜେଲେନସ୍କି କହିଛନ୍ତି, ସେ ଏମିତି ଏକ ଦେଶର ରାଷ୍ଟ୍ରପତି ହେବାକୁ ଚାହିଁବେ ନାହିଁ ଯିଏ ଆଣ୍ଠୁ ମାଡି ଭିକ ମାଗିବ। ଅନ୍ୟପଟେ ରୁଷର କହିବା କଥା ତାର କିଛି ଦାବି ସ୍ଵୀକାର କଲେ ଆମେ ୟୁକ୍ରେନରେ ସୈନ୍ୟ କାର‌୍ୟ୍ୟାନୁଷ୍ଠାନ ତୁରନ୍ତ ବନ୍ଦ ଘୋଷଣା କରିବୁ। ୟୁକ୍ରେନ ନିଜ ସମ୍ବିଧାନରେ ପରିବର୍ତ୍ତନ କରି ଏହା ଘୋଷଣା କରୁ ଯେ, ସେ କୌଣସି ମେଣ୍ଟରେ ଅଂଶୀଦାର ହେବ ନାହିଁ। ଏଥିସହ ରଷ ଦାବି କରିଛି ଯେ, ୟୁକ୍ରେନ ୨୦୧୪ରେ ରୁଷରେ ସାମିଲ୍ ନିଜର ଅଂଶ କ୍ରିମିଆକୁ ରୁଷ ଅଞ୍ଚଳ ବୋଲି ମାନ୍ୟତା ଦେଉ ଏବଂ ଡୋନେସ୍କ ଓ ଲୁହାନସ୍କକୁ ସ୍ଵତନ୍ତ୍ର ଅଞ୍ଚଳର ମାନ୍ୟତା ମଧ୍ୟ ପ୍ରଦାନ କରୁ।

Get real time updates directly on you device, subscribe now.