fbpx

ଟିକାକରଣ ଦ୍ୱାରା ହ୍ରାସ ପାଉଛି କୋଭିଡ୍ ଜନିତ ମୃତ୍ୟୁ ଆଶଙ୍କା: ICMR

ନୂଆଦିଲ୍ଳୀ: କରୋନା ଭାଇରସର ଦ୍ୱିତୀୟ ଲହରର ପ୍ରକୋପ ଧୀରେ ଧୀରେ କମ ହେବାରେ ଲାଗିଥିବା ବେଳେ ତୃତୀୟ ଲହର ପାଇଁ ସଜାଗ ହେଉଛି ବିଶ୍ୱ । ତେବେ ଆଇସିଏମଆର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଟିକାକରଣ ଦ୍ୱାରା କୋଭିଡ ଜନିତ ମୃତ୍ୟୁ ହାର କମ ହେବା ସହିତ ଅନ୍ୟାନ୍ୟ ଗୁରୁତର ରୋଗରୁ ରକ୍ଷା ମିଳିଥାଏ । ମଙ୍ଗଳବାର ଆଇସିଏମଆର ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଉଭୟ ଟିକାକରଣ ଓ ଅଣ ଟିକାକରଣ ବ୍ୟକ୍ତି ସମାନ ଭାବରେ ଡେଲଟା ଭାଇରସର ଶିକାର ହୋଇଥାନ୍ତି । ଡେଲଟା ଭାଇରସ ଆକ୍ରାନ୍ତଙ୍କ ମଧ୍ୟରେ ଟିକାକରଣ ବ୍ୟକ୍ତିଙ୍କ ମୃତ୍ୟୁ ହାର କମ ରହୁଥିବା ବେଳେ କୌଣସି ଗୁରୁତର ଶାରୀରିକ ସମସ୍ୟା ମଧ୍ୟ ଦେଖା ଦେଇନଥାଏ । ଜର୍ଣ୍ଣାଲ ଅଫ ଇନେଫେକ୍ସନରେ ଏହି ତଥ୍ୟ ପ୍ରକାଶ ପାଇଛି । ଏହି ରିସର୍ଚ୍ଚରେ ୧୧୩ ଜଣ ଦୁଇ ଡୋଜ୍ ଟିକା ନେଇଥିବା ବ୍ୟକ୍ତି, ୨୪୧ ଜଣ ସିଙ୍ଗଲ ଡୋଜ ଏବଂ ୧୮୫ ଜଣ ଆଦୌ ଟିକା ନେଇନଥିବା ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା ।

ପରୀକ୍ଷଣର ୧୪ ଦିନ ପୂର୍ବରୁ ଟିକା ନେଇଥିବା ବ୍ୟକ୍ତିଙ୍କୁ ଏଥିରେ ସାମିଲ କରାଯାଇଥିଲା । ଦୁଇ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୭୪.୩ ପ୍ରତିଶତ ସଂକ୍ରମିତ ହୋଇଥିବା ବେଳେ ଗୋଟିଏ ଡୋଜ ନେଇଥିବା ୬୮.୧ ଲୋକ ଡେଲଟା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ । ଅନ୍ୟ ପକ୍ଷରେ ଆଦୌ ଟିକା ନେଇନଥିବା ବ୍ୟକ୍ତିଙ୍କ ମଧ୍ୟରେ ୭୨.୪ ପ୍ରତିଶତ ଡେଲଟା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ । ଦୁଇ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୬.୭ ପ୍ରତିଶତ ଲୋକଙ୍କ ଠାରେ ଗୁରୁତର ଲକ୍ଷଣ ଦେଇଥିବା ବେଳେ କେହି ପ୍ରାଣ ହରାଇନଥିଲେ । ଅପର ପକ୍ଷରେ ଆଦୌ ଟିକା ନେଇନଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୯.୩ ପ୍ରତିଶତ ସଂକ୍ରମିତ ହୋଇଥିଲେ ଯେଉଁଥିରୁ ୪ ପ୍ରତିଶତ ଲୋକ ପ୍ରାଣ ହରାଇଥିଲେ ।

ଡେଲଟା ଭାଇରସ ବିରୋଧରେ ଟିକା ସଠିକ କାମ କରୁଛି ବୋଲି କହିଛନ୍ତି ଭାରତର ଟପ୍ ଭାଇରୋ ଲୋଜିଷ୍ଟ ଗଗନଦୀପ କଙ୍ଗ । ଏକ ସାକ୍ଷାତକାର ସମୟରେ ଗଗନଦୀପ ଟିକା ଠିକ୍ କାମ କରୁଛି ବୋଲି କହିବା ସହିତ ବୁଷ୍ଟର ଶଟର ଆବଶ୍ୟକତା ନଥିବା କହିଥିଲେ । ବୁଷ୍ଟର ଡୋଜ୍ ବା ତୃତୀୟ ଡୋଜ୍ ଅନ୍ୟ ରୋଗ ବିରୋଧରେ ପ୍ରଭାବୀ ହୋଇପାରେ ମାତ୍ର ତରବରିଆ ଭାବରେ ତୃତୀୟ ଡୋଜ ଆଡକୁ ଯିବା ସଠିକ ନୁହେଁ ବୋଲି କଙ୍ଗ କହିଛନ୍ତି । ବୁଧବାର ୟୁକେ ପକ୍ଷରୁ ବୁଷ୍ଟର ଡୋଜ୍ ପାଇଁ ଘୋଷଣା କରାଯାଇଛି । ଆସନ୍ତା ସେପ୍ଟେମ୍ବର ୨୦ରୁ ଏହା ଆରମ୍ଭ ହେବ । ଏହା ପୂର୍ବରୁ ୟୁକେର ସ୍ୱାସ୍ଥ୍ୟ ସଚିବ ସାଜିଦ ଜାଭିଦ ୫୦ ବର୍ଷରୁ ଅଧିକ ଲୋକଙ୍କୁ ବୁଷ୍ଟର ଡୋଜ ଦେବା ନେଇ ଘୋଷଣା କରିଥିଲେ । ତେବେ ୟୁକେର ଟିକାକରଣ ପାଇଁ ସରକାରଙ୍କୁ ପରାମର୍ଶ ଦେଉଥିବା କମିଟି ଏହାକୁ ମଞ୍ଜୁରୀ ପ୍ରଦାନ କରିନାହିଁ ।ଇସ୍ରାଏଲୀ ରାଷ୍ଟ୍ରପତି ଆଇଜାକ ହେର୍ଗୋଜ ପ୍ରଥମେ ବୁଷ୍ଟର ଡୋଜ ନେବା ସହିତ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ଦେବା ସମ୍ପର୍କରେ ଘୋଷଣା କରିଛନ୍ତି । ତେବେ ବୁଷ୍ଟର ଡୋଜ ନନେବାକୁ ହୁ ପକ୍ଷରୁ ପରାମର୍ଶ ଦିଆଯାଇଛି । ବିଶ୍ୱର ସମସ୍ତ ରାଷ୍ଟ୍ରର ଅନ୍ୟୁନ ୧୦ ପ୍ରତିଶତ ଲୋକଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରିବା ପାଇଁ ହୁର ମୁଖ୍ୟ ଟେଡ୍ରୋସ ଆଧାନୋମ କହିଛନ୍ତି ।

Get real time updates directly on you device, subscribe now.