CHARIDHAM

ସିଏଏ ଓ ଏନଆରସିକୁ ବିରୋଧ କଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ

ଭୁବନେଶ୍ୱର,୧୮ ।୧୨(ଓଡିଶା ଭାସ୍କର): ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ସେଥିରୁ ବାଦ ପଡିନି ଓଡିଶା । ଭୁବନେଶ୍ୱରର ବାଣୀବିହାର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଆଇନ୍ ବିରୋଧରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ପ୍ରାୟ ୩୦ ରୁ ୩୫ଜଣ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରେ ସିଏଏ ବିରୋଧରେ ନାରାବାଜି କରିବା ସହ ଏହି ଆଇନକୁ ପ୍ରତ୍ୟାହୃତ କରିବା ପାଇଁ ଦାବି କରିଥିଲେ । ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ, ‘ଦେଶକୁ ବିଭାଜନ କରିବା ପାଇଁ ମୋଦି ସରକାର ଏପରି ଆଇନ ଆଣିଛନ୍ତି । ଦେଶର ସମ୍ବିଧାନର ମୂଳଧାରାକୁ କ୍ଷୁର୍ଣ୍ଣ କରୁଛି । ଯଦି ଆଇନ ଲାଗୁ ଦେଶରେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି ହେବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି ।’

ଏହା ସହ ଆଉ କେତେକ ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ଦେଶରେ ବେରଜଗାରୀ ସମସ୍ୟା, ଆର୍ଥିକ ଅଭିବୃଦ୍ଧି ହ୍ରାସ ଏବଂ ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଭଳି ବିଭିନ୍ନ ପ୍ରସଙ୍ଗ ଅଛି ସେଗୁଡିକ ଉପରେ ସରକାର କାର୍ଯ୍ୟ ନକରି ଏପିର ଅସାମ୍ବିଧାନିକ ଆଇନ୍ ଲାଗୁ କରି ଦେଶରେ ହିଂସା ସୃଷ୍ଟି କରୁଛନ୍ତି । ଯାହାକୁ ଆମେ ଦୃଢତାର ସହ ବିରୋଧ କରୁଛୁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ଏହି ଧାରଣାରେ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ମହେଶ ପ୍ରସାଦ, ଜୟନ୍ତ କିଷାନ, ଅର୍ମାନ ଜେନା, ଦେବେସ ଦାସ, ନିଶିତା ପ୍ରିୟଦର୍ଶିନୀ, ସତ୍ୟସାଗର ବେହେରା ଏବଂ ଅନ୍ୟ ଛାତ୍ରଛାତ୍ରୀ ମାନେ ସାମିଲ ହୋଇଛନ୍ତି ।