କିଏ ହେବ ପରବର୍ତ୍ତୀ ଉପରାଷ୍ଟ୍ରପତି, ଆଜି ଉଭୟ ଗୃହର ମୋଟ ୭୮୬ ସାଂସଦ ନିଜ ମତଦାନ ସାବ୍ୟସ୍ତ କରିବେ
ଧନଖଡ଼-ଆଲ୍ଭାଙ୍କ ମଧ୍ୟରେ ମୁକାବିଲା
ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ । ସଂସଦ ଭବନରେ ଏଥିପାଇଁ ଭୋଟ୍ଗ୍ରହଣ କରାଯିବ । ଏନେଇ ସମସ୍ତ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଶନିବାର ଭୋଟ୍ଗ୍ରହଣ କରାଯାଇ ସେହିଦିନ ହିଁ ଫଳାଫଳ ଘୋଷଣା କରାଯିବ । ଶନିବାର ପୂର୍ବାହ୍ନ ୧୦ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୫ଟାରେ ଶେଷ ହେବ । ତା ପରେ ଭୋଟ ଗଣତି କରାଯିବ । ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧୧ ତାରିଖରେ ଶେଷ ହେବାକୁ ଯାଉଛି । ତେଣୁ ଏହା ପୂର୍ବରୁ ଉପରାଷ୍ଟ୍ରପତି ନିର୍ବାଚିତ ହେବାର ଆବଶ୍ୟକତା ରହିଛି ।
ଏହି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ପକ୍ଷରୁ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ଦଳ ପକ୍ଷରୁ ମାର୍ଗାରେଟ୍ ଆଲ୍ଭାଙ୍କୁ ପ୍ରାର୍ଥୀ କରାଯାଇଛି । ଉଭୟଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ହେବ । ଏହି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ମତଦାନ କରିଥାନ୍ତି । ଏପରିକି ରାଜ୍ୟସଭାର ମନୋନୀତ ସାଂସଦମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥାନ୍ତି । ଲୋକସଭାର ୫୪୩ ଜଣ ସାଂସଦ ଓ ରାଜ୍ୟସଭାର ୨୪୩ ସଦସ୍ୟ ଏହି ଭୋଟ୍ରେ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି । ମୋଟ୍ ୭୮୬ ଜଣ ସାଂସଦ ଭୋଟ୍ ଦେବାର ସମ୍ଭାବନା ରହିଛି । ତେବେ ରାଜ୍ୟସଭାରେ ୧୨ ଜଣ ମନୋନୀତ ସାଂସଦ ରହିଛନ୍ତି । ଉଭୟ ପ୍ରାର୍ଥୀ ନିଜ ନିଜ ସପକ୍ଷରେ ଭୋଟ୍ ଦେବା ପାଇଁ ସାଂସଦମାନଙ୍କୁ ଅନୁରୋଧ କରିଛନ୍ତି ।
ତେବେ ଧନଖଡ଼ଙ୍କୁ ବିଜେଡି ସମର୍ଥନ ଯୋଗାଇବ ବୋଲି ପୂର୍ବରୁ ଘୋଷଣା କରିସାରିଛି । ସେହିପରି ତେଲଙ୍ଗାନା ରାଷ୍ଟ୍ର ସମିତି ବିରୋଧୀଦଳ ପ୍ରାର୍ଥୀ ଆଲ୍ଭାଙ୍କୁ ସମର୍ଥନ ଯୋଗାଇବ ବୋଲି ଶୁକ୍ରବାର ଘୋଷଣା କରିଛି ।