Video: ମର୍ଜାଣ୍ଟ ନେଭି ଅଫିସରଙ୍କ ହତ୍ୟା ମାମଲା; ସ୍ୱାମୀ ହତ୍ୟାର ୧୧ ଦିନ ପରେ ପ୍ରେମିକଙ୍କ ସହ ମୁସକାନର ହୋଲି ସେଲିବ୍ରେସନ

ମୀରଟ: ଉତ୍ତରପ୍ରଦେଶର ମୀରଟରେ ମର୍ଜାଣ୍ଟ ନେଭି ଅପିସର ସୌରଭ ରାଜପୁତଙ୍କ ହତ୍ୟାକାଣ୍ଡ ମାମଲାରେ ନୂଆ ନୂଆ ଖୁଲାସା ହେଉଛି। ସୌରଭଙ୍କୁ ହତ୍ୟା ପରେ ପତ୍ନୀ ମୁସ୍କାନ୍ ଓ ତାଙ୍କ ପ୍ରେମିକ ସାହିଲ ୧୫ ଦିନ ଲାଗି ଟ୍ୟାକ୍ସି ବୁକ୍ କରିଥିବା ସୂଚନା ମିଳିଛି। ଏ ବାବଦରେ ମୋଟ ୫୪ ହଜାର ଟଙ୍କା ପଇଠ କରାଯାଇଥିଲା। ସେହି ଟ୍ୟାକ୍ସି ଯୋଗେ ସେମାନେ ମୀରଟରୁ ଶିମଲା ଯାଇଥିଲେ।

ସେଠାରେ ପତି-ପତ୍ନୀର ପରିଚୟ ଦେଇ ରହିଥିଲେ। ପରେ ମନାଲି ଓ କସୌଲ ହୋଇ ମୀରଟ ଫେରିଥିଲେ। ପୋଲିସ ଉଭୟ ଅଭିଯୁକ୍ତ ଓ ଟ୍ୟାକ୍ସି ଚାଳକଙ୍କୁ ନେଇ ଖୁବ୍ ଶୀଘ୍ର ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ଯିବ। ମୁସ୍କାନ ଓ ସାହିଲ ଯେଉଁଠାରେ ରହିଥିଲେ ସେଠାରେ ଯାଞ୍ଚ କରିବ। ଇତିମଧ୍ୟରେ କିଛି ଭିଜୁଆଲ ସାମ୍ନାକୁ ଆସିଛି। ସେଥିରେ ସ୍ବାମୀଙ୍କୁ ହତ୍ୟା ପରେ ମୁସ୍କାନ ସାହିଲଙ୍କ ସହ ହୋଲି ଖେଳୁଥିବା ଦେଖିବାକୁ ମିଳିଛି।

ଭିଡିଓଟି ଶିମ୍‌ଲାର ହୋଇଥିବା ପୁଲିସ ଦାବି କରିଛି। ଜେରାରୁ ଆହୁରି ଜଣାପଡ଼ିଛି ଯେ, ସୌରଭଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ୬ ଲକ୍ଷ ଟଙ୍କା ଥିଲା। ଅନ୍‌ଲାଇନ୍ ଠକେଇର ଶିକାର ହେବା ଭୟରେ ସେ ସେହି ଟଙ୍କାକୁ ଉଠାଇ ଆଣିଥିଲେ। ସେଥିମଧ୍ୟରୁ କିଛି ଟଙ୍କା ନିଜ ପରିଜନଙ୍କୁ ଓ ଏକ ଲକ୍ଷ ପତ୍ନୀ ମୁସ୍କାନ୍‌ଙ୍କୁ ଦେଇଥିଲେ। ସେହି ଟଙ୍କାରେ ମୁସ୍କାନ୍ ମନାଲି ଯାଇଥିଲେ। ଟଙ୍କା ସରିଯିବା ପରେ ମୀରଟ ଫେରିଆସିଥିଲେ।

 

ଅନ୍ୟପଟେ ମୃତକଙ୍କ ପରିଜନ ମୁସ୍କାନଙ୍କ ସମେତ ତାଙ୍କ ପରିବାର ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି। ସୌରଭଙ୍କର ଜଣେ ଭାଇ କହିଛନ୍ତି, ମୁସ୍କାନ ଓ ତାଙ୍କ ପରିବାର ଲୋକେ ସୌରଭଲଣ୍ଡନରୁ ଆୟ କରିଥିବା ଟଙ୍କା ହଡ଼ପ କରିବାର ଷଡ଼ଯନ୍ତ୍ର ରଚନା କରିଥିଲେ। ଏପରିକି ମୁସ୍କାନଙ୍କର ସାବତ ମା’ଙ୍କ ଆକାଉଣ୍ଟକୁ ସୌରଭଙ୍କ ଆକାଉଣ୍ଟରୁ କିଛି ଟଙ୍କା ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।