ଏଜାଜ ଖାନଙ୍କ ବିରୁଦ୍ଧରେ ମାମଲା ରୁଜୁ, ଉଲ୍ଲୁ ଆପ୍‌ର ରିଆଲିଟି ଶୋ ‘ହାଉସ ଆରେଷ୍ଟ’ରେ ଅଶ୍ଲୀଳ କାମ କରାଇବା ଅଭିଯୋଗ

ମୁମ୍ବାଇ: ବିଗ୍‌ ବସ୍‌ ଫେମ୍‌ ଅଭିନେତା ଏଜାଜ ଖାନଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ଉଲ୍ଲୁ ଆପର ରିଆଲିଟି ଶୋ ‘ହାଉସ୍ ଆରେଷ୍ଟ’ ମାମଲାରେ ତାଙ୍କ ବିରୋଧରେ ମୁମ୍ବାଇର ଆମ୍ବୋଲି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ତାଙ୍କ ଉପରେ ଶୋ’ରେ ଅଶ୍ଳୀଳ ଟାସ୍କ ଦେବା ଏବଂ ତାଙ୍କ ଇଚ୍ଛା ବିରୁଦ୍ଧରେ କାମ କରାଇବାର ଅଭିଯୋଗ ଆସିଛି। ଏଜାଜଙ୍କ ବ୍ୟତୀତ ଏହି ରିଆଲିଟି ଶୋ’ର ପ୍ରଯୋଜକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଏଜାଜ୍ ବିରୋଧରେ ଦାୟର ହୋଇଥିବା ମାମଲାର ଏକ କପି ସାମ୍ନାକୁ ଆସିଛି, ଯାହା ଦର୍ଶାଉଛି ଯେ ଅନ୍ୟ ଜଣେ ବ୍ୟକ୍ତି ରାଜକୁମାର ପାଣ୍ଡେ ଏବଂ ଉଲ୍ଲୁ ଆପ୍ ସହିତ ଜଡିତ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

ମୁମ୍ବାଇର ଅମ୍ବୋଲି ଥାନାରେ ତାଙ୍କ ବିରୁଦ୍ଧରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଶିକାୟତ ଆଧାରରେ ଏଫଆଇଆର ରୁଜୁ ହୋଇଛି। ଭାରତୀୟ ଦଣ୍ଡ ସଂହିତା (BNS) ଧାରା ୨୯୬, ଆଇଟି ଆକ୍ଟର ଧାରା ୬୭ ଓ ୬୭(ଏ) ସମେତ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ ହୋଇଛି।

କ’ଣ ହେଉଛି ମାମଲା?
୧୧ ଏପ୍ରିଲ ୨୦୨୫ରୁ ଉଲ୍ଲୁ ଆପ୍‌ରେ ପ୍ରସାରିତ ହେଉଥିବା ‘ହାଉସ ଆରେଷ୍ଟ’ ଶୋ ବିଗ୍‌ ବସ୍‌ ଓ ଲକ୍‌ଅପ୍‌ ଶୋ ପରି ଏକ ରିଆଲିଟି ଶୋ ଭାବେ ଡିଜାଇନ କରାଯାଇଥିଲା। ଏଜାଜ ଖାନଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା ଏହି ଶୋରେ ୧୨ ଜଣ ପ୍ରତିଯୋଗୀ (୯ ମହିଳା ଓ ୩ ପୁରୁଷ) ଏକ ଆଲୀଶାନ ଭିଲାରେ ରହି ବିଭିନ୍ନ ଟାସ୍କ ଓ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି। କିନ୍ତୁ ୨୯ ଏପ୍ରିଲ ୨୦୨୫ରେ ଶୋର ଏକ ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବାଦ ସୃଷ୍ଟି ହୋଇଛି।

ଭାଇରାଲ ଭିଡିଓରେ ଏଜାଜ ଖାନ ମହିଳା ପ୍ରତିଯୋଗୀଙ୍କୁ କାମସୂତ୍ର ପୋଜିସନ ସମ୍ବନ୍ଧୀୟ ଅଶ୍ଲୀଳ ଟାସ୍କ କରିବାକୁ ଉସକାଉଥିବା ଓ କ୍ୟାମେରା ସାମ୍ନାରେ ଅନ୍ତରଙ୍ଗ ଦୃଶ୍ୟ ପରିବେଷଣ କରିବାକୁ ବାଧ୍ୟ କରୁଥିବା ଦେଖାଯାଇଛି। ଅନେକ ପ୍ରତିଯୋଗୀ ଏହି ଟାସ୍କରେ ଅସହଜ ଅନୁଭବ କରୁଥିବା ଓ ମନା କରୁଥିବା ସତ୍ତ୍ୱେ ସେମାନଙ୍କୁ ବାଧ୍ୟ କରାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି । ଏହା ସହ ପ୍ରତିଯୋଗୀଙ୍କୁ ଅନ୍ଡରଗାର୍ମେଣ୍ଟ ଖୋଲିବା ଓ ଅଶ୍ଲୀଳ ପୋଜ ଦେବା ଭଳି ଚ୍ୟାଲେଞ୍ଜ ଦିଆଯାଇଥିଲା, ଯାହା ସୋସିଆଲ ମିଡିଆରେ ତୀବ୍ର ବିରୋଧର କାରଣ ହୋଇଛି।

ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ରାଷ୍ଟ୍ରୀୟ ମହିଳା ଆୟୋଗର ପଦକ୍ଷେପ
ବଜରଙ୍ଗ ଦଳର କାର୍ଯ୍ୟକର୍ତା ଗୌତମ ରାଓରିଆଙ୍କ ଶିକାୟତ ଆଧାରରେ ମୁମ୍ବାଇ ପୋଲିସ ଏଜାଜ ଖାନ, ଶୋର ନିର୍ମାତା ରାଜକୁମାର ପାଣ୍ଡେ ଓ ଉଲ୍ଲୁ ଡିଜିଟାଲ ଆପ୍‌ ବିରୁଦ୍ଧରେ ମାମଲା ରୁଜୁ କରିଛି। ଶିକାୟତରେ କୁହାଯାଇଛି ଯେ, ଶୋରେ ମହିଳାଙ୍କ ବିରୁଦ୍ଧରେ ଅଶ୍ଲୀଳ ଭାଷା ଓ ଦୃଶ୍ୟ ବ୍ୟବହାର କରାଯାଇଛି, ଯାହା ମହିଳାଙ୍କ ସମ୍ମାନକୁ ଆଘାତ ଦେଇଛି।