fbpx

ହ୍ୱାଟସ୍‌ଆପ୍‌ର ନୂଆ ନୀତି ବର୍ତ୍ତମାନ ସୁଦ୍ଧା ଗ୍ରହଣ କରିନାହାନ୍ତି କି ? ଜାଣନ୍ତୁ ବ୍ୟବହାରକାରୀଙ୍କ ଆକାଉଣ୍ଟ୍‌ ଉପରେ ଏହା କ’ଣ ପ୍ରଭାବ ପକାଇବ…

Advertisement

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର ): ହ୍ୱାଟସ୍‌ଆପ୍‌ ଯେଉଁ ନୂଆ ଗୋପନୀୟତା ନୀତି ଆଣିଛି ତାହାକୁ ବର୍ତ୍ତମାନ ସୁଦ୍ଧା ଗ୍ରହଣ କରିନଥିବା ଗ୍ରାହକମାନେ ବିଶେଷ କିଛି ଅସୁବିଧା ଭୋଗିବେ ନାହିଁ । ଆପ୍‌ ପୂର୍ବରୁ ଯେଭଳି କାମ କରୁଥିଲା ସେହିଭଳି ଜାରି ରହିବ । ଏହାର କୌଣସି ସୁବିଧା ସେମାନଙ୍କ ଲାଗି ବନ୍ଦ ହେବ ନାହିଁ ।

କମ୍ପାନିର ପ୍ରବକ୍ତା ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନେ ଆମ ନୂଆ ଗୋପନୀୟତା ନୀତିକୁ ଗ୍ରହଣ କରିନାହାନ୍ତି ସେମାନଙ୍କ ଲାଗି ଆପ୍‌ର କୌଣସି ସୁବିଧା ବନ୍ଦ ହେବ ନାହିଁ। କୌଣସି ବ୍ୟବହାରକାରୀଙ୍କ ଆକାଉଣ୍ଟ୍‌ ଡିଲିଟ୍‌ ହେବ ନାହିଁ । ଏହି ଆପ୍‌ ପୂର୍ବରୁ ଯେଭଳି କାର୍ଯ୍ୟ କରୁଥିଲା ସେହିଭଳି ଜାରି ରହିବ । ବିଭିନ୍ନ କର୍ତ୍ତୃକ୍ଷ ଓ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ପରେ ଫେସବୁକ୍‌ ମାଲିକାନାରେ ଥିବା ହ୍ୱାଟସ୍‌ଆପ୍‌ ଏହି ନିଷ୍ପତ୍ତି ନେଇଛି ।

କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଅଧିକାଂଶ ଗ୍ରାହକ ନୂଆ ନୀତିକୁ ଗ୍ରହଣ କରିସାରିଛନ୍ତି । ଯେଉଁମାନେ ଗ୍ରହଣ କରିନାହାନ୍ତି ସେମାନଙ୍କ ଲାଗି କୌଣସି ଅସୁବିଧା ହେବନି । ମାତ୍ର ସେମାନଙ୍କ ପାଖକୁ ନିୟମିତ ବ୍ୟବଧାନରେ ଏହି ଅପ୍‌ଡେଟ୍‌ ସମ୍ପର୍କିତ ବାର୍ତା ଆସିବ । କମ୍ପାନି ତରଫରୁ ଆପ୍‌ ଭିତରେ ନୋଟିଫିକେସନ୍‌ ମାଧ୍ୟମରେ
ବ୍ୟବହାରକାରୀମାନଙ୍କୁ ନୂଆ ନୀତି ଗ୍ରହଣ କରିବା ଲାଗି କୁହାଯିବ ।

ଚଳିତ ବର୍ଷ ହ୍ୱାଟସ୍‌ଆପ୍‌ ଏହାର ନୂଆ ଗୋପନୀୟତାନୀତି ଘୋଷଣା କରିବା ପରଠାରୁ ବିବାଦରେ ରହିଛି । ବିବାଦର ମୁଖ୍ୟ କାରଣ ହେଉଛି ସେଥିରେ ଥିବା ସର୍ତ୍ତ ।
ଫେସବୁକ୍‌ ସହିତ ତଥ୍ୟ ବାଣ୍ଟିବା ଲାଗି କମ୍ପାନି ବ୍ୟବହାରକାରୀମାନଙ୍କ ଉପରେ ଏହି ସର୍ତ୍ତ ଜୋରଜବରଦସ୍ତ ଲଦିବାକୁ ଉଦ୍ୟମ କରୁଛି ।ଏହି ନିୟମକୁ ମେଡ଼ ୧୫ ସୁଦ୍ଧା ଲାଗୁ କରିବ ବୋଲି କମ୍ପାନି ନିଷ୍ପତ୍ତି ନେଇଥିଲା । କିନ୍ତୁ ସେହି ସମୟ ସୀମାକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଢ଼ାଇ ଦେଇଛି। କମ୍ପାନି ଏହା ସ୍ପଷ୍ଟ କରିଛି ଯେ ଆମ ନୀତିକୁ ଗ୍ରହଣ କରିନଥିବା କୌଣସି ଗ୍ରାହକଙ୍କ ଆକାଉଣ୍ଟ୍‌ ଡିଲିଟ୍‌ ହେବ ନାହିଁ ।

Get real time updates directly on you device, subscribe now.