ରାଷ୍ଟ୍ରପତି ନିର୍ବାଚନ: ଶରଦ ପାୱାରଙ୍କ ପରେ କାହାକୁ ପ୍ରାର୍ଥୀ କରିବେ ଦିଦି?

ନୂଆଦିଲ୍ଲୀ: ଆଉ ପ୍ରାୟ ଏକମାସ ପରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ବିରୋଧୀଦଳ ପ୍ରାର୍ଥୀ ଦେବା ପାଇଁ ଜୋରସୋରରେ କସରତ ଆରମ୍ଭ କରିଦେଇଛନ୍ତି । ଏହି ରେସରେ ବହୁ ବଡ଼ ବଡ଼ ନେତାଙ୍କ ନାମ ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର ଧରୁଥିବାବେଳେ ଆଉ ଏକ ବିରୋଧୀ ରାଜ୍ୟର ବଡ଼ ନେତାଙ୍କ ନାମ ଏହି ଧାଡିରେ ସାମିଲ ହୋଇସାରିଛି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ…

ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀ ନେତାମାନେ ଜୋରସୋରରେ ପ୍ରସ୍ତୁତ ଆରମ୍ଭ ହୋଇଯାଇଥିବାବେଳେ ଏଥିରୁ ବାଦ୍ ପଡିନାହାଁନ୍ତି ଦିଦି ଓରଫ୍ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ଆଗକୁ ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ଦିଦି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଏହି ବୈଠକରେ କଂଗ୍ରେସ ସମେତ ବହୁ ବିରୋଧୀ ଦଳର ନେତାମାନେ ସାମିଲ ହେବେ । ବୈଠକ ପାଇଁ ଦିଦି ମଙ୍ଗଳବାର ଠାରୁ ରାଜଧାନୀ ଦିଲ୍ଲୀରେ ପହଂଚିବା ସହ ବିରୋଧୀଦଳର ନେତାଙ୍କୁ ମଧ୍ୟ ଭେଟିଥିବା ଜଣାପଡିଛି ।

ବିରୋଧୀ ଦଳ ପକ୍ଷରୁ ପ୍ରଥମେ ଏମସିପିର ମୁଖିଆ ଶରଦ ପାୱାରଙ୍କ ନାମ ଏହି ରେସ୍ରେ ସାମିଲ ହେବା ପାଇଁ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ମମତା ବାନାର୍ଜୀ ଏହି ପ୍ରସ୍ତାବକୁ ପ୍ରତ୍ୟାକ୍ଷାନ କରିଥିଲେ । ଏଥିସହ ମଙ୍ଗଳବାର ମମତା ଦିଲ୍ଲୀରେ ପହଂଚି ଶରଦ ପାୱାରଙ୍କୁ ଭେଟିବା ସହ ନିଜର ମତ ରଖିଥିଲେ । ଫଳରେ ଏହି ରେସ୍ରେ ଚର୍ଚ୍ଚାରେ ଲାଗିରହିଥିବା ଶରଦ ପାୱାରଙ୍କ ନାମରେ ଫୁଲଷ୍ଟପ୍ ଲାଗିଯାଇଥିବାବେଳେ, ଏବେ ଏହି ଧାଡିରେ ପଶ୍ଚିମବଙ୍ଗର ଆଉ ଜଣେ ବଡ଼ ନେତାଙ୍କ ନାମ ସାମିଲ ହୋଇଛି । ସେ ହେଉଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳ କୃଷ୍ଣ ଗାନ୍ଧି । ଗୋପାଳ କୃଷ୍ଣ ରାଷ୍ଟ୍ରପତି ପଦବୀ ପାଇଁ ବିରୋଧୀ ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । ଏନେଇ ଆଜି ମମତାଙ୍କ ପକ୍ଷରୁ ଡକାଯାଇଥିବା ବୈଠକରେ ନିଷ୍ପତି ହୋଇପାରେ ବୋଲି ସୂଚନା ରହିଛି । ଗୋପାଳ କୃଷ୍ଣଙ୍କ ବ୍ୟତୀତ ଆଉ କିଛି ନାଁ ମଧ୍ୟ ସାମ୍ନାକୁ ଆସିଛି, ଯାହା ବିରୋଧୀ ଏ ସମ୍ପର୍କରେ ବିଚାର କରୁଥିବା ଖବର ମିଳିଛି ।

ବିରୋଧୀଙ୍କ ମଧ୍ୟରେ ମତଭେଦ
ତେବେ ମମତା ଡାକିଥିବା ବୈଠକରେ ବିରୋଧୀଙ୍କ ମଧ୍ୟରେ ମତଭେଦ ଥିବା ସୂଚନା ମିଳିଛି । ମାକପା ମହାସଚିନ ସୀତାରାମ ୟେଚୁରୀ ଏବଂ ଭାକପା ମହାସଚିନ ଡି. ରାଜା ମମତାଙ୍କ ଏହି ବୈଠକକୁ ନେଇ ପ୍ରଥମରୁ ବିରୋଧ କରିଆସୁଛନ୍ତି । ଉଭୟ ଆଜିର ଏହି ବୈଠକରେ ମଧ୍ୟ ସାମିଲ ହେବେନାହିଁ । ଅନ୍ୟପଟେ ବାମପନ୍ଥୀ ଦଳମାନେ ରାଷ୍ଟ୍ରପତି ନିର୍ବାଚନରେ ବିପକ୍ଷ ସମସ୍ତ ଧର୍ମନିରପେକ୍ଷ ଲୋକତାନ୍ତ୍ରିକ ପାର୍ଟି ଏକଜୁଟ ହେବା ଉପରେ ଜୋର ଦେଉଛନ୍ତି । ସର୍ବସମ୍ମତି କ୍ରମେ ଯେଉଁ ପ୍ରାର୍ଥୀ ଏହି ନିର୍ବାଚନ ପାଇଁ ପ୍ରାର୍ଥୀ ହେବେ ତାଙ୍କୁ ବାମଦଳ ପକ୍ଷରୁ ସମର୍ଥନ ମିଳିବ ବୋଲି କହିଛନ୍ତି । ସେହିଭଳି ତୃଣମୂଳ କଂଗ୍ରେସ ନେତାମାନେ ମମତାଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ସଫଳ ହେବ ବୋଲି ସେମାନେ ମତପ୍ରକାଶ କରିଛନ୍ତି ।

ଯଦି ବିରୋଧୀ ଦଳ ମଧ୍ୟରେ ସମସ୍ତଙ୍କ ସମ୍ମତି ମିଳେ, ତେବେ ଚର୍ଚ୍ଚାରେ ଥିବା ପ୍ରାର୍ଥୀ ଗୋପାଳ କୃଷ୍ଣ ପଶ୍ଚିମବଙ୍ଗରୁ ପ୍ରାର୍ଥୀ ହୋଇପାରନ୍ତି । ମାତ୍ର ଏହି ଚର୍ଚ୍ଚା କେତେ ସତ ତାହା ମମତାଙ୍କ ବୈଠକ ପରେ ଜଣାପଡିବ । ଗୋପାଳ କୃଷ୍ଣଙ୍କ ନାମରେ ମୋହର ଲାଗି କି ପୂର୍ଣ୍ଣଚ୍ଛେଦ ଲାଗିବ ତାହା ଆଗାମୀ ଦିନରେ ସ୍ପଷ୍ଟୀକରଣ ହେବ ।