fbpx

ଦେଶରେ ଗୋଟିକ ପରେ ଗୋଟିଏ ଚିତା କାହିଁକି ମରୁଛନ୍ତି: ଭାରତ-ଦକ୍ଷିଣ ଆଫ୍ରିକାର ସ୍ଥିତି ଅଲଗା, ନାମିବିଆର ବୈଜ୍ଞାନିକ ଦେଲେ ରିପୋର୍ଟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଗତ ୯ ତାରିଖରେ ପୁଣି ଏକ ମାଈ ଚିତା ‘ଦକ୍ଷା’ ମୃତ୍ୟୁବରଣ କରିଛି । ଏହାପୂର୍ବରୁ ଗତ ଏପ୍ରିଲ ମାସ ୨୩ ତାରିଖରେ ୬ ବର୍ଷୀୟ ‘ଉଦୟ ମୃତ୍ୟୁ କରିଥିବା ବେଳେ ମାର୍ଚ୍ଚ ମାସ ୨୭ ତାରିଖରେ ମାଈ ଚିତା ‘ଶାଶା’ ମୃତ୍ୟୁବରଣ କରିଥିଲା । ଗତବର୍ଷ ସେପ୍ଟେମ୍ବର ମାସ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିବସ ଅବସରରେ ଦକ୍ଷିଣ ଆଫ୍ରିକାର ନାମିବିଆରୁ ୮ଟି ଚିତା ଭାରତକୁ ଅଣାଯାଇଥିଲା ।

କୁନୋ ଜାତୀୟ ପାର୍କକୁ ମୋଟ ୨୦ଟି ଚିତା ଅଣାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଏବେ ଆଉ ୧୭ଟି ରହିଛନ୍ତି । ତେବେ ଗତ ଦୁଇମାସ ମଧ୍ୟରେ ଦେଶରେ ୩ଟି ଚିତାଙ୍କର ମୃତ୍ୟୁ ଘଟିବା ଏବେ ଚିନ୍ତା ବଢ଼ାଇ ଦେଇଛି । କାହିଁକି ଭାରତରେ ଗୋଟିକ ପରେ ଗୋଟିଏ ଚିତା ମୃତ୍ୟୁବରଣ କରୁଛନ୍ତି? କ’ଣ ରହିଛି ଏହା ପଛର କାରଣ? ତେବେ ସ୍ଥାନର ଅଭାବ ହିଁ ଚିତାଙ୍କର ମୃତ୍ୟୁ ପଛର ଅସଲ କାରଣ ବୋଲି ଗତ ମାସରେ ଚିତା ‘ଉଦୟର ମୃତ୍ୟୁ ପରେ ନାମିବିଆର ବୈଜ୍ଞାନିକମାନେ ମତ ଦେଇଥିଲେ ।

ନାମିବିଆର ବୈଜ୍ଞାନିକଙ୍କ ମତରେ, ସ୍ଥାନର ଅଭାବ ହେତୁ ଆଗାମୀ ଦିନରେ ଚିତାଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । ‘କଞ୍ଜରଭେସନ ସାଇନ୍ସ ଆଣ୍ଡ ପ୍ରାକ୍ଟିସ’ ନାମକ ଏକ ପତ୍ରିକାରେ ଏ ବାବଦରେ ରିପୋର୍ଟ ପ୍ରକାଶ ପାଇଥିଲା । ଭାରତ ସରକାରଙ୍କ ପ୍ରୋଜେକ୍ଟ ଚିତାକୁ ବୈଜ୍ଞାନିକମାନେ ସଠିକ୍ କହିଥିଲେ ହେଁ ପାର୍କରେ ଆବଶ୍ୟକତାଠାରୁ ଅଧିକ ଚିତାଙ୍କୁ ଛଡ଼ା ଯାଇଥିବା ନେଇ ଚିନ୍ତା ପ୍ରକଟ କରିଥିଲେ । ଚିତାଙ୍କର ବିଚରଣ ନେଇ ପର୍ଯ୍ୟାପ୍ତ ସ୍ଥାନର ଅଭାବ ରହିଛି । ଏପରି ସ୍ଥିତିରେ ସେମାନେ ଅନ୍ୟ ଗାଁମାନଙ୍କରେ ପଶିପାରନ୍ତି ଓ ସଂଘର୍ଷପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇପାରେ । ପାର୍କ ସହ ଜଡ଼ିତ ମୋଟ ୧୬୯ଟି ଛୋଟ ଗାଁ ରହିଥିବା ବେଳେ ଚିତାଙ୍କ ପାଇଁ ଗ୍ରାମବାସୀଙ୍କ ସମସ୍ୟା ବଢ଼ିପାରେ ।

ଭାରତର ସ୍ଥିତି ଦକ୍ଷିଣ ଆଫ୍ରିକାଠାରୁ ବହୁତ ଅଲଗା ରହିଛି । ସେଠାରେ ଚିତାଙ୍କ ପାଇଁ ବଡ଼ ବଡ଼ ସ୍ଥାନ ରହିଛି । ସେଠାରେ ୧୦୦ ବର୍ଗ କିମି ଅଞ୍ଚଳରେ ଏକରୁ ମଧ୍ୟ କମ୍ ଚିତା ରହୁଛନ୍ତି । ତେଣୁ ଏପରି ସ୍ଥିତିରେ ଅତିକମରେ ୧୨ଟି ଚିତାଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବା ଦରକାର । କୁନୋରେ କେତେ ସ୍ଥାନ ରହିଛି ସେନେଇ କିଛି ତଥ୍ୟ ଜଣାପଡ଼ି ନାହିଁ । ଯଦି କୁନୋରେ ଶାକାହାରୀ ମାତ୍ରାକୁ ବଢ଼ାଯାଇ ପାରିବ ତେବେ ସେଠାରେ ଅଧିକ ଚିତା ରହିପାରିବେ ।

Get real time updates directly on you device, subscribe now.