ଓଡିଶା ଭାସ୍କର: ସବୁ ବର୍ଷ ପରି ଚଳିତ ବର୍ଷ ବି କଟକରେ ବଡ଼ ଧୁମଧାମରେ ପାଳନ ହେଉଛି ବାଲିଯାତ୍ରା ଉତ୍ସବ। କୁହାଯାଏ, ଏହି ବାଲିଯାତ୍ରା ହେଉଛି ଓଡ଼ିଶାର ଏକ ଐତିହ୍ୟ ଯାତ୍ରା। କାର୍ତ୍ତିକ ପୂର୍ଣ୍ଣିମାରୁ ମହାନଦୀ କୂଳରେ ଆରମ୍ଭ ହୋଇ ଏହି ଉତ୍ସବ ଦୀର୍ଘ ୮ ଦିନ ଧରି ଚାଲିଥାଏ। ହେଲେ ମହାନଦୀ କୂଳରେ ଆୟୋଜିତ ଏହି ଯାତ୍ରାକୁ ବାଲିଯାତ୍ରା ବୋଲି କାହିଁକି କୁହାଯାଏ? ଏହି ଯାତ୍ରାର ନାମ ଅନ୍ୟ କିଛି ରଖାଯାଇ ପାରିଥା’ନ୍ତା। କିନ୍ତୁ ବାଲି ରଖାଯିବା ପଛରେ ଇତିହାସ କ’ଣ ରହିଛି? ଏହାର ଉତ୍ତର ପ୍ରାୟ ଅନେକ ଜଣଙ୍କୁ ଜଣା ନଥିବ। ବିଶେଷକରି ଏହି ପ୍ରଶ୍ନ ଯେତେବେଳେ ଯୁବପିଢ଼ିଙ୍କୁ ପଚରା ହୁଏ ସେତେବେଳେ କେହି କୁହନ୍ତି କି, ମହାନଦୀ କୂଳରେ ବାଲି ରହିଛି ବୋଲି ଏହାକୁ ବାଲି ଯାତ୍ରା ବୋଲି କୁହାଯାଏ। କିନ୍ତୁ ଏହି ଉତ୍ତର ଆଦୌ ସଠିକ ନୁହେଁ।
ତେବେ ବାଲିଯାତ୍ରାକୁ ଜାଣିବାକୁ ହେଲେ ଆପଣଙ୍କୁ ପ୍ରଥମେ “ବାଲି”କୁ ଜାଣିବାକୁ ହେବ। ଯାହା ଇଣ୍ଡୋନେସିଆରେ ଅବସ୍ଥିତ। ଚାରିପଟେ ସମୁଦ୍ର ମଝିରେ ଗୋଟିଏ ଦୀପ ରହିଛି। ଯାହାର ନାମ ହେଉଛି ଇଣ୍ଡୋନେସିଆ। ଆଉ ଏହି ଇଣ୍ଡୋନେସିଆରେ ଥିବା ଗୋଟିଏ ପ୍ରଦେଶ ହେଉଛି ବାଲି। ଖାଲି ବାଲି ନୁହେଁ ଜାଭା, ସୁମାତ୍ରା ଓ ଭର୍ଣ୍ଣିୟ ମଧ୍ୟ ରହିଛି। ଏସବୁ ଇଣ୍ଡୋନେସିଆ ପାଖରେ ଅବସ୍ଥିତ ଥିବା ଗୋଟିଏ ଗୋଟିଏ ଦୀପ। ଏ ହେଉଛି ସେହି “ବାଲି” ଯେଉଁଠାକୁ ଓଡ଼ିଶାରୁ ସାଧବ ପୁଅ ମାନେ ବୋଇତ ମାଧ୍ୟମରେ ବାଣିଜ୍ୟ କରିବାକୁ ଯାଉଥିଲେ। ଏମାନଙ୍କ ଯାତ୍ରା କଟକର ମହାନଦୀ କୂଳରୁ ଆରମ୍ଭ ହେଉଥିଲା। ବାଣିଜ୍ୟ ସାରି ସୁରକ୍ଷିତ ଭାବେ ନିଜ ଦେଶକୁ ଫେରିବା ପାଇଁ ସାଧବ ବୋହୁ ମାନେ ତାଙ୍କୁ ବନ୍ଦାପନା କରି ଛାଡ଼ୁଥିଲେ। ଦୀର୍ଘ ଦିନ ଧରି ନଦୀ ଏବଂ ସମୁଦ୍ରରେ ଯାତ୍ରା କରି ସାଧବ ପୁଅ ମାନେ ଇଣ୍ଡୋନେସିଆରେ ଯାଇ ବାଣିଜ୍ୟ କରୁଥିଲେ। ପରେ ସେମାନେ ବାଣିଜ୍ୟ ସାରି ବିଭିନ୍ନ ମୋତି ମାଣିକ ନେଇ ଓଡ଼ିଶା ବା ଉତ୍କଳ ରାଜ୍ୟକୁ ଫେରୁଥିଲେ। ଏଣୁ ଏହି ଯାତ୍ରାର ନାମ ବାଲିଯାତ୍ରା ରଖାଯାଇଥିଲା, ଯାହା କଟକ ମହାନଦୀ କୂଳରେ ହିଁ ଆରମ୍ଭ ହୋଇଥାଏ। ଇଣ୍ଡୋନେସିଆର “ବାଲି” ସହର ସହିତ ଭାରତ ତଥା ଓଡିଶାର ବହୁ ବର୍ଷର ପୁରୁଣା ସମ୍ପର୍କ ରହି ଆସିଛି। ତେବେ ଏହି ଐତିହ୍ୟକୁ ମନେ ରଖିବା ପାଇଁ ସବୁ ବର୍ଷ କଟକ ଠାରେ ବଡ଼ ଧୁମଧାମରେ ବାଲିଯାତ୍ରା ପାଳନ କରାଯାଇଥାଏ।