fbpx

ମହାବୀର ହନୁମାନଙ୍କ ପ୍ରତିମାରେ କାହିଁକି ଲାଗି ହୁଏ ତେଲ ଓ ସିନ୍ଦୂର? ଏପରି ରହିଛି ପୌରାଣିକ ଗାଥା

ଓଡ଼ିଶା ଭାସ୍କର: ସମସ୍ତ ମନ୍ଦିରରେ ମହାବୀର ଶ୍ରୀ ହନୁମାନଙ୍କୁ ନାରଙ୍ଗୀ ରଙ୍ଗର ସିନ୍ଦୂରରେ ସଜ୍ଜିତ କରାଯାଇଥାଏ । ତେବେ ପ୍ରକୃତରେ ଏହା ହେଉଛି ତାଙ୍କ ଶରୀରରେ ଲଗାଯାଇଥିବା ତେଲ ଏବଂ ସିନ୍ଦୂର । ଯାହାକୁ ଶ୍ରଦ୍ଧାଳୁମାନେ ବୀର ବଜରଙ୍ଗୀଙ୍କ ଦର୍ଶନ ପରେ ତିଳକ ଭାବରେ ମଥାରେ ଲଗଇଥାନ୍ତି । ମାନ୍ୟତା ରହିଛି ଯେ, ବୀର ହନୁମାନଙ୍କୁସିନ୍ଦୂର ଏବଂ ତୈଳ ଲାଗି କରିବା ଦ୍ୱାରା ପ୍ରଭୁଙ୍କ ଅସୀମ କୃପା ପର୍ଷା ହୋଇଥାଏ । କିନ୍ତୁ କାହିଁକି ହନୁମାନଙ୍କ ପ୍ରତିମାରେ ସିନ୍ଦୂର ଏବଂ ତୈଳ ଲାଗି କରାଯାଏ? କ’ଣ ରହିଛି ଏହା ପଛରେ ପୌରାଣିକ କଥା? ଏଭଳି ଅନେକ ପ୍ରଶ୍ନର ଉତ୍ତର ଆସନ୍ତୁ ଜାଣିବା ଏହି ରିପୋର୍ଟରେ

ବୀର ହନୁମାନଙ୍କର ଏହି ରୂପ ତାଙ୍କର ସରଳତା ଏବଂ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଥିବା ଭକ୍ତି, ପ୍ରେମ ଓ ଆଦରକୁ ଦର୍ଶାଇଥାଏ । ହିନ୍ଦୁ ପୌରାଣିକ କଥା ଅନୁସାରେ, ଦିନେ ମାତା ସୀତା ଶୃଙ୍ଗାର କରୁଥିବା ବେଳେ ହନୁମାନ ସେଠାରେ ଉପସ୍ଥିତ ହୋଇଥିଲେ । ମାତା ସୀତାଙ୍କ ପାଖର ବସି ମାତାଙ୍କୁ ଏପରି ଶୃଙ୍ଗାର କରୁଥିବାର ଦେଖୁଥିଲେ ବୀର ବଜରଙ୍ଗୀ । ସାମାନ୍ୟ ସ୍ତ୍ରୀଙ୍କ ପରି ଶୃଙ୍ଗାର କରୁଥିଲେ ମାତା ସୀତା । ଏହି ସମୟରେ ମାତା ସୀତା ଯେତେବେଳେ ତାଙ୍କ ମଥାରେ ସିନ୍ଦୂର ଲଗାଇଲେ, ହନୁମାନ ଅଶ୍ଚର୍ଯ୍ୟ ହୋଇଗଲେ । ଏହାପରେ ଭକ୍ତ ହନୁମାନ ମାତାଙ୍କୁ ପ୍ରଶ୍ନ କଲେ, ମାତା… ଆପଣ ମଥାରେ ସିନ୍ଦୂର କାହିଁକି ଲଗାଉଛନ୍ତି? ହନୁମାନଙ୍କ ଏହି ପ୍ରଶ୍ନରେ ମାତା ସୀତା ଭକ୍ତଙ୍କୁ ସିନ୍ଦୂରର ମହତ୍ତ୍ୱ ବୁଝାଇଥିଲେ ।

ମାତା କହିଥିଲେ ଯେ, ମୋ ସ୍ୱାମୀ ପ୍ରଭୁ ଶ୍ରୀରାମଙ୍କ ଦୀର୍ଘାୟୁ କାମନା କରି ମୁଁ ମୋ ମଥାରେ ଏହି ସିନ୍ଦୂର ଲଗାଉଛି । ଏହା ଲଗାଇବା ଦ୍ୱାରା ମୋ ପ୍ରଭୁଙ୍କ ଆୟୁ ବୃଦ୍ଧି ହେବ । ଏହା ଶୁଣି ବୀର ହନୁମାନ ସେଠାରୁ ଚାଲି ଯାଆନ୍ତି । କିଛି ସମୟପରେ ସମ୍ପୂର୍ଣ୍ଣ ଶରୀରରେ ସିନ୍ଦୂର ବୋଳି ହୋଇ ଆସି ମାତା ସୀତାଙ୍କ ସମ୍ମୁଖରେ ପହଞ୍ଚିଥିଲେ । ହନୁମାନଙ୍କ ଏଭଳି ରୂପକୁ ଦେଖି ମାତା ସୀତା ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ପଚାରିଥିଲେ । ଭକ୍ତ ହନୁମାନ କହିଥିଲେ ଯେ, ମାତା ମୁଁ ମଧ୍ୟ ମୋ ପ୍ରଭୁ ଶ୍ରୀରାମଙ୍କ ଦୀର୍ଘାୟୁ ପାଇଁ ମୋର ସମ୍ପୂର୍ଣ୍ଣ ଶରୀରରେ ସିନ୍ଦୂର ଲଗାଇଛି । ଏବେ ପ୍ରଭୁଙ୍କ ଉପରେ କୌଣସି ସଂକଟ ଆସିବ ନାହିଁ । ସେଥିପାଇଁ ହନୁମାନାଷ୍ଟକରେ ପ୍ରଭୁ ହନୁମାନଙ୍କ ରୂପକୁ ଏଭଳି ଭାବରେ ବର୍ଣ୍ଣନା କରାଯାଇଛି ।

ଭଗବାନ ହନୁମାନଙ୍କୁ ପୂଜା କରିବା ପାଇଁ ମଙ୍ଗଳବାର ସର୍ବୋତ୍ତମ ଦିନ ବୋଲି ବିବେଚନା କରାଯାଏ । ବିଶ୍ୱାସ ଅନୁଯାୟୀ, ଏହି ଦିନ ମନ୍ଦିରକୁ ଯାଇ ହନୁମାନଙ୍କ ଡାହାଣ କାନ୍ଧରେ ଭର୍ମିଲିୟନ ତିଳକ ଲଗାଇବା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ । ଶ୍ରୀରାମଙ୍କ ପରମ ଭକ୍ତ ପ୍ରଭୁ ହନୁମାନଙ୍କୁ ସିନ୍ଦୂର ଅର୍ପଣ କଲେ ବହୁ ପ୍ରସନ୍ନ ହୋଇଥାନ୍ତି ଏବଂ ନିଜ ଭକ୍ତଙ୍କ ସମସ୍ତ ଇଚ୍ଛା ପୂରଣ କରିଥାନ୍ତି । ଅଟକି ରହିଥିବା କାମ ମଧ୍ୟ ଧିରେ ଧିରେ ଶୁଭ ଫଳ ଦେଇଥାଏ ।

Get real time updates directly on you device, subscribe now.