ଜେଲ୍ ଯିବେ ପୁନମ୍ ପାଣ୍ଡେ? ଜାଣନ୍ତୁ, ମିଥ୍ୟା ଖବର ପ୍ରସାର କରିବାରେ କ’ଣ ରହିଛି ଆଇନ ଦଣ୍ଡ

ମୁମ୍ବାଇ: ମଡେଲ ଏବଂ ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କିନ୍ତୁ ପରଦିନ ଅର୍ଥାତ୍ ଶନିବାର ଦିନ ପୁନମ୍ ପାଣ୍ଡେ ନିଜେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଥିଲେ ଯେ ସେ ଜୀବିତ ଅଛନ୍ତି। ପୁନମ୍ ପାଣ୍ଡେ ନିଜେ ଇନଷ୍ଟାଗ୍ରାମରେ ତାଙ୍କ ମୃତ୍ୟୁର ମିଥ୍ୟା ଖବର ସେୟାର କରି ପ୍ରଚାର କରିବାକୁ ଚେଷ୍ଟା କରିଥିଲେ। ତେବେ ତାଙ୍କର ଏଭଳି କାର୍ଯ୍ୟ ଯୋଗୁଁ ଲୋକମାନେ ସୋସିଆଲ ମିଡିଆରେ ବିରକ୍ତି ହୋଇଛନ୍ତି। ଏଭଳି ପରିସ୍ଥିତିରେ, ମିଥ୍ୟା ଖବର ପ୍ରସାରଣ ପାଇଁ ପୁନମ୍ ପାଣ୍ଡେଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ମିଥ୍ୟା ଖବର ପ୍ରସାର କରିବାରେ କ’ଣ ଆଇନ ଦଣ୍ଡ ରହିଛି? ଆସନ୍ତୁ ଜାଣିବା…

ବାସ୍ତବରେ, ଅଭିନେତ୍ରୀ ପୁନମ୍ ମିଥ୍ୟା ଖବର ପ୍ରସାରଣ ପାଇଁ ଜେଲ୍ ଯାଇପାରନ୍ତି। ଏହା ସହିତ ତାଙ୍କୁ ଜରିମାନା ମଧ୍ୟ ଲାଗୁ କରାଯାଇପାରେ। ଆଇଟି ଆକ୍ଟ -୨୦୦୦ ର ଧାରା ୬୭ ଅନୁଯାୟୀ, ଯଦି କେହି ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିବାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ତିନି ବର୍ଷ ଜେଲ ହୋଇପାରେ। ଏଥିସହ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ମଧ୍ୟ ପଡିପାରେ। ସେହିପରି ଯଦି ସମାନ ଅପରାଧ ପୁନରାବୃତ୍ତି ହୁଏ ତେବେ ଅପରାଧୀଙ୍କୁ ୫ ବର୍ଷ ଜେଲ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ।

ପୁନମ୍ କାହଁକି ମୃତ୍ୟୁର ମିଥ୍ୟା ଖବର ପ୍ରସାର କରିଥିଲେ?

ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରିବା ସମୟରେ ପୁନମ୍ ପାଣ୍ଡେ କହିଛନ୍ତି, ‘ହେଲୋ ମୁଁ ପୁନମ୍। ମୁଁ ଦୁଃଖିତ, ମୁଁ ଯେଉଁମାନଙ୍କୁ ଆଘାତ ଦେଇଛି ସେମାନଙ୍କୁ କ୍ଷମା ମାଗୁଛି। ମୋର ଉଦ୍ଦେଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଥିଲା, କାରଣ ମୁଁ ଗର୍ଭାଶୟ କର୍କଟ ବିଷୟରେ ଆଲୋଚନା କରିବାକୁ ଚାହୁଁଥିଲି, ଯାହା ବିଷୟରେ ଆମେ ଅଧିକ ଆଲୋଚନା କରୁନାହୁଁ। ହଁ, ମୁଁ ମୋର ମୃତ୍ୟୁ ବିଷୟରେ ମିଥ୍ୟା ଖବର ପ୍ରଚାର କରଥିଲି। ଆଉ ହଠାତ୍ ଆମେ ସମସ୍ତେ ଗର୍ଭାଶୟ କର୍କଟ ବିଷୟରେ ଆଲୋଚନା କରିବାକୁ ଆରମ୍ଭ କରିଥିଲେ। ତେବେ ଏହା ଏକ ଏପରି ରୋଗ ଯାହା ଚୁପଚାପ୍ ଆପଣଙ୍କ ଜୀବନକୁ ଛଡ଼ାଇ ନେଇଥାଏ। ଏହି ରୋଗ ବିଷୟରେ ଅଧିକ ଆଲୋଚନା କରିବାର ଆବଶ୍ୟକତା ଅଛି। ମୁଁ ଗର୍ବିତ ଯେ, ମୋ ମୃତ୍ୟୁ ଖବର ହେତୁ ସମସ୍ତେ ଏହି ରୋଗ ବିଷୟରେ ଜାଣିବାକୁ ଆରମ୍ଭ କରିଛନ୍ତି।

ସେପଟେ ପୁନମଙ୍କ ଜୀବିତ ଖବର ଶୁଣିବା ପରେ ବହୁ ସେଲିବ୍ରେଟି ଓ ୟୁଜର୍ସ ଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି। ସେହିପରି ଏହାକୁ ନେଇ ଅନେକ ଜଣ ପୁନମଙ୍କୁ ଖୁବ୍ ଟ୍ରୋଲ ମଧ୍ୟ କରୁଛନ୍ତି । ତେବେ କୌଣସି ରୋଗକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଅନେକ ସକରାତ୍ମକ ଦିଗ ରହିଛି । କିନ୍ତୁ ନିଜେ ନିଜର ‘ମୃତ୍ୟୁ ଗୁଜବ ସୃଷ୍ଟି କରିବା’ର ସାହାରା ନେବା କେତେ ଦୂର ଠିକ୍ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।