fbpx

WTC Final: ନ୍ୟୁଜିଲାଣ୍ଡର ୨୪୯ ରନ ପରେ ପଞ୍ଚମ ଦିନରେ ଭାରତ ୬୪/୨, ରିଜର୍ଭ ଡେ ଉପରେ ସଭିଙ୍କ ନଜର

Advertisement

ସାଉଥମ୍ପଟନ : ଚତୁର୍ଥ ଦିନ ବାତିଲ୍ ହେବା ପରେ ପଞ୍ଚମ ଦିନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ଦେଖିବାକୁ ମିଳିଛି। ପଞ୍ଚମ ଦିନରେ ଚମକିଛନ୍ତି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି। ପ୍ରଥମ ଇନିଂସରେ ୨୧୭ ରନରେ ଅଲଆଉଟ୍ ହେବା ପରେ ଭାରତ ଦ୍ରୁତ ବୋଲରଙ୍କ ଶାଣିତ ବୋଲିଂ ଦମରେ ନ୍ୟୁଜିଲାଣ୍ଡ ଦଳକୁ ୨୪୯ ରନରେ ସୀମିତ ରଖିବାରେ ସଫଳ ହୋଇଛି। ୩୨ ରନରେ ପଛୁଆ ରହିବା ପରେ ଦ୍ଵିତୀୟ ଇନିଂସ ଆରମ୍ଭ କରି ଭାରତ ପଞ୍ଚମ ଦିନର ଖେଳ ଶେଷ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୬୪ ରନ କରିଛି। ଏଥିସହ ଦଳ କିଓ୍ଵି ଦଳଠୁ ୩୨ ରନରେ ଅଗ୍ରଣୀ ହାସଲ କରିଛି। ରୋହିତ ଶର୍ମା ୩୦ କରି ଆଉଟ୍ ହେବା ଭାରତକୁ ଜୋରଦାର ଝଟକା ଲାଗିଛି।  ଚେତେଶ୍ଵର ପୂଜାରା ୧୨ ରନ ଓ ବିରାଟ କୋହଲି ୮ କରି ଅପରାଜିତ ଅଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ଦୁଇଟି ଓ୍ଵିକେଟ୍ ହାସଲ କରିଛନ୍ତି। ବର୍ଷା ଯୋଗୁଁ ଅଧିକାଂଶ ସମୟ ବରବାଦ ହୋଇଥିବାରୁ ଆସନ୍ତାକାଲି ରିଜର୍ଭ ଡେରେ ଫାଇନାଲ୍ ମୁକାବିଲା ଖେଳାଯିବ। ଷଷ୍ଠ ଦିନରେ ଭାରରତୀୟ ଦଳ କୋହଲି ଓ ପୂଜାରା ଜୋଡିଠୁ ଆାଶା ରଖିଛି।

ଏହା ପୂର୍ବରୁ ତୃତୀୟ ଦିନର ଅସମାପ୍ତ ଖେଳ ୨/୧୦୧ରୁ ନ୍ୟୁଜିଲାଣ୍ଡ ପଞ୍ଚମ ଦିନରେ ବ୍ୟାଟିଂ ଆରମ୍ଭ କରିଥିଲା। କେନ ଓ୍ଵିଲିୟମସନ(୧୨) ଓ ରସ ଟେଲର(୦) କ୍ରିଜରେ ଥିଲେ। । ହେଲେ ଏହି ଯୋଡି ଅଧିକ ସମୟ ତିଷ୍ଠି ପାରିନଥିଲେ। ୧୧୭ ରନ ସ୍କୋରରେ ମହମ୍ମଦ ସାମି ଟେଲର(୧୧)ଙ୍କୁ ଆଉଟ୍ କରି ନ୍ୟୁଜିଲାଣ୍ଡକୁ ତୃତୀୟ ଝଟକା ଦେଇଥିଲେ।  ଦ୍ରୁତ ବୋଲରଙ୍କୁ ସୁହାଉଥିବା ପିଚରେ ଭାରତୀୟ ବୋଲର ପ୍ରଥମ ସେସନରେ ଭାରତ ୩ ଓ୍ଵିକେଟ୍ ନେଇ ନ୍ୟୁଜିଲାଣ୍ଡ ରନ ଉପରେ ଅଙ୍କୁଶ ଲଗାଇଥିଲେ।

ଏହା ପରେ ୧୩୪ ରନ ସ୍କୋରରେ ହେନରି ନିକୋଲାସ(୧)ଙ୍କୁ ଆଉଟ୍ କରି ଇଶାନ୍ତ ଶର୍ମା ଭାରତକୁ ଚତୁର୍ଥ ସଫଳତା ଦେଇଥିଲେ। ବିଜେ ଓ୍ଵାଟଲିଙ୍ଗ୍(୧)ଙ୍କୁ  କ୍ଲିନ ବୋଲ୍ଡ କରି ମହମ୍ମଦ ସାମି ଭାରତକୁ ପଞ୍ଚମ ସଫଳତା ଦେଇଥିଲେ। ଗୋଟିଏ ପଟେ ଓ୍ଵିକେଟ୍ ପଡି ଚାଲିଥିବା ବେଳେ ଅନ୍ୟପଟେ  କ୍ରିଜରେ ଜମି ରହିଥିଲେ ଅଧିନାୟକ କେନ ଓ୍ଵିଲିୟମସନ। କୋଲିନ ଡି ଗ୍ରାଣ୍ଡହୋମ(୧୩) ଆଉଟ୍ ହୋଇଥିଲେ।

ପରେ କାଇଲ୍ ଜେମିସନ ଦ୍ରୁତ ବ୍ୟାଟିଂ କରି ୧୬ ବଲରୁ ୧ ଛକା ସହ ୨୧ ରନ କରି ଆଉଟ୍ ହୋଇଥିଲେ। ଓ୍ଵିଲିୟମସନ ୪୯ ରନ କରି ଅଷ୍ଟମ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ଇଶାନ୍ତ ଶର୍ମା ଓ୍ଵିଲିୟମସନଙ୍କୁ ଆଉଟ୍ କରି ତୃତୀୟ ସଫଳତା ହାସଲ କରିଥିଲେ। ସାଉଦି(୩୦)ଙ୍କ ଆଉଟ୍ କରି  ଜାଡେଜା ନ୍ୟୁଜିଲାଣ୍ଡ  ଇନିଂସକୁ ୨୪୯ ରନରେ ପରିସମାପ୍ତି ଘଟାଇଥିଲେ।

ଭାରତ ପକ୍ଷରୁ ମହମ୍ମଦ ସାମି ୭୬ ରନ ଦେଇ ୪ ସଫଳତା ପାଇଥିବା ବେଳେ ଇଶାନ୍ତ ଶର୍ମା ୩ ଓ୍ଵିକେଟ୍ ନେଇଥିଲେ। ରବିଚନ୍ଦ୍ରନ ଅଶ୍ଵିନ ୨ ଏବଂ ରବୀନ୍ଦ୍ର ଜାଡେଜା ୧ ଓ୍ଵିକେଟ୍ ନେଇଥିଲେ।

 

Get real time updates directly on you device, subscribe now.