fbpx

Video: ସହିଦନଗର ଥାନା ପରିସରରେ କଥା ହେଉ ହେଉ ଟଳିପଡ଼ିଲେ ଯୁବକ, କ୍ଷଣିକରେ ଉଡ଼ିଗଲା ପ୍ରାଣବାୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସହିଦନଗର ଥାନା ପରିସରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଏବେ ଯୁବକଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି । ଫୋନରେ କଥା ହେଉଥିବା ବେଳେ କିଭଳି ଯୁବକ ପଡିଯାଇ ମୃତ୍ୟୁ ବରଣ କଲେ ତାର ତଦନ୍ତ କରୁଛି ପୋଲିସ। ଥାନା ପରିସରରେ ମୃତ୍ୟୁ ହୋଇଥିବାରୁ NHRC ଗାଇଡ଼ ଲାଇନ ଅନୁସାରେ ତଦନ୍ତ ଚାଲିଥିବା ବେଳେ ଦୁଇଜଣଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ ।

ଗୁରୁବାର ରାତି ୯ଟା ୨୩ ସମୟରେ ୩ ଜଣ ଯୁବକ ଏକ ବାଇକରେ ସହିଦନଗର ଥାନା ଭିତରକୁ ଆସିଥିଲେ । ବାଇକରେ ଆସିଥିବା ଜଣେ ଯୁବକ ମୋବାଇଲ ଫୋନରେ କଥା ହେଉଥିଲେ । ପରେ ଅସୁସ୍ଥତା ଅନୁଭବ କରି ତଳେ ପଡ଼ିଗଲେ। ପୋଲିସ ଯୁବକକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ଉକ୍ତ ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ସିସିଟିଭିରେ କଏଦ ହୋଇଥିବା ପୂରା ଘଟଣା ସହିଦନଗର ଥାନା ପରିସରର ଚିତ୍ର ହୋଇଥିବା ଜଣାପଡିଛି ।

ମୃତ ଯୁବକଙ୍କ ପରିଚୟ ମିଳିଥିବାବେଳେ ସେ ମଞ୍ଚେଶ୍ୱର ଥାନା ଗାଡ଼କଣ ଅଞ୍ଚଳର ବୀଚିତ୍ର ପଲେଇ ବୋଲି ଜଣାପଡିଛି । ସେ ଜଣେ ମିଠା ବ୍ୟବସାୟୀ । ଭୁବନେଶ୍ୱର ଡିସିପି କହିଛନ୍ତି, ସ୍ଥାନୀୟ ଅଞ୍ଚଳର ବଟକୃଷ୍ଣ ବେହେରା ଓ ନେତ୍ରମଣୀ ବେହେରାଙ୍କ ଠାରୁ ଟଙ୍କା ଧାର ନେଇଥିଲେ ବିଚିତ୍ର । ଟଙ୍କା ନ ଫେରେଇବାରୁ ଗତକାଲି ଉଭୟ ବିଚିତ୍ରଙ୍କୁ ଅପହରଣ କରିଥିଲେ । ପରେ ବାଣୀବିହାର ନିକଟରେ ଗାଡି ସ୍ଲୋ ହେବାରୁ ଖସିବାକୁ ଉଦ୍ୟମ କରିଥିଲେ ବିଚିତ୍ର । ଅଭିଯୁକ୍ତମାନେ ଧରିବା ପାଇଁ ଗୋଡେଇଲେ । ପରେ ସେଠାରେ ଠେଲା ପେଲା ହୋଇଥିବା କଥା ପୋଲିସ କହିଛି । ସ୍ଥାନୀୟ ଲୋକେ ବିଚିତ୍ରଙ୍କୁ ବାଇକରେ ଆଣିଥିଲେ। ପରେ ଥାନାକୁ ଆସିବା ପରେ ସେ ଫୋନରେ କଥା ହେଉଥିବା ବେଳେ ଟଳି ପଡିଲେ ।

ଥାନା ପରିସରରେ ଯୁବକଙ୍କ ମୃତ୍ୟୁ ହୋଇଥିବାରୁ ଘଟଣା ପୋଲିସର ମୁଣ୍ଡ ବିନ୍ଧାର କାରଣ ସାଜିଛି । NHRC ଗାଇଡ଼ଲାଇନକୁ ଅନୁସରଣ କରି ତଦନ୍ତ କରୁଛି ପୋଲିସ । ଡିସିପି କହିଛନ୍ତି ଜଣେ ଏକଜୁକେଟିଭ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବ୍ୟବଚ୍ଛେଦ କରାଯିବ । ବ୍ୟବଚ୍ଛେଦର ସମ୍ପୂର୍ଣ୍ଣ ଭିଡ଼ିଓ ରେକର୍ଡ଼ିଂ କରାଯିବ । ତଦନ୍ତ ଦାୟିତ୍ୱ ଜଣେ ଏସିପି ରାଙ୍କ ଅଧିକାରୀ କରିବେ । ଘଟଣାରେ ସହିଦନଗର ଥାନା ପୋଲିସ ବଟକୃଷ୍ଣ ବେହେରା ଓ ନେତ୍ରମଣୀ ବେହେରାଙ୍କୁ ଗିରଫ କରିଛି । ସେମାନଙ୍କ ବିରୁଦ୍ଧରେ IPC ଦଫା 341, 323, 365, 302, ରେ ମାମଲା ରୁଜୁ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ମଧ୍ୟ ରେକର୍ଡ ହୋଇଛି।

Get real time updates directly on you device, subscribe now.