ସମଗ୍ର ଦେଶରେ ବିକଶିତ କରାଯିବ ୧୦୦ ଟି ସୁସ୍ଥ ଏବଂ ସ୍ୱଚ୍ଛ ଫୁଡ୍ ଷ୍ଟ୍ରିଟ୍: ଓଡ଼ିଶାରେ ୪ ଟି ଫୁଡ୍ ଷ୍ଟ୍ରିଟ ପାଇଁ ରହିଛି ପ୍ରସ୍ତାବ
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ର ୧୦୦ ଟି ସୁସ୍ଥ ତଥା ସ୍ୱଚ୍ଛ ଖାଦ୍ୟ ଷ୍ଟ୍ରିଟର ବିକାଶ ପାଇଁ ‘ଫୁଡ୍ ଷ୍ଟ୍ରିଟ୍ ପ୍ରୋଜେକ୍ଟ’ର ସମୀକ୍ଷା କରିଛନ୍ତି। ଖାଦ୍ୟ ବ୍ୟବସାୟ ତଥା ସଦସ୍ୟଙ୍କ ମଧ୍ୟରେ ନିରାପଦ ଏବଂ ସୁସ୍ଥ ଖାଦ୍ୟ ଅଭ୍ୟାସକୁ ଉତ୍ସାହିତ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ ରହିଛି। ଖରାପ ଖାଦ୍ୟ ଦ୍ବାରା ହେଉଥିବା ରୋଗକୁ ହ୍ରାସ କରିବା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ମଧ୍ୟ ଏହି ଯୋଜନାର ଲକ୍ଷ୍ୟ ଅଟେ।
ଫୁଡ୍ ଷ୍ଟ୍ରିଟକୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ୍) ପ୍ରତି ଫୁଡ ଷ୍ଟ୍ରିଟକୁ ୧ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବ। ଏହା ମାଧ୍ୟମରେ ପାଇଲଟ୍ ପ୍ରକଳ୍ପ ଭାବରେ ଦେଶର ବିଭିନ୍ନ ସ୍ଥାନରେ ୧୦୦ ଟି ଫୁଡ ଷ୍ଟ୍ରିଟର ସ୍ଥାପନା କରାଯିବ। ଏହି ଯୋଜନା ଅନୁସାରେ ଓଡ଼ିଶାରେ ଫୁଡ ଷ୍ଟ୍ରିଟ ସ୍ଥାପନ କରାଯିବାର ଲକ୍ଷ୍ୟ ରହିଛି। ଏହି ଅନୁଦାନ ଏନଏଚଏମ୍ ମାଧ୍ୟମରେ ୬୦:୪୦ କିମ୍ବା ୯୦:୧୦ ଅନୁପାତରେ ପରିଚାଳିତ ହେବ ଏବଂ ଏଥିରେ ସର୍ତ୍ତ ରହିଛି ଯେ ଏହି ଫୁଡ୍ ଷ୍ଟ୍ରିଟର ବ୍ରାଣ୍ଡିଂ ଏଫଏସଏସଏଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ କରାଯିବ।
ନିରାପଦ ପାନୀୟ ଜଳ ଯୋଗାଣ, ହାତ ଧୋଇବା, ଶୌଚାଳୟ ସୁବିଧା, ସାଧାରଣ ଅଞ୍ଚଳର ଟାଇଲ୍ ଚଟାଣ, ଉପଯୁକ୍ତ ତରଳ ଏବଂ କଠିନ ବର୍ଜ୍ୟବସ୍ତୁ ନିଷ୍କାସନ, ଡଷ୍ଟବିନ ଯୋଗାଣ, ବିଲବୋର୍ଡ ବ୍ୟବହାର, ଫାକେଡ୍ ପ୍ରସ୍ତୁତି ଏବଂ ସ୍ଥାୟୀ ପ୍ରକୃତିର ସାଇନେଜ୍ ଭଳି କାର୍ଯ୍ୟକଳାପ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହା ସହିତ ସାଧାରଣ ଷ୍ଟୋରେଜ୍ ସ୍ପେସ୍, ଆଲୋକୀକରଣ, ନିର୍ଦ୍ଦିଷ୍ଟ ପ୍ରକାରର ଟ୍ରେଡ, ବ୍ରାଣ୍ଡିଂ ଇତ୍ୟାଦି ପାଇଁ ସ୍ୱତନ୍ତ୍ର କାର୍ଟ ସୁବିଧା ମଧ୍ୟ ରହିବ।
ଏଫଏସଏସଏଆଇ ର ବୈଷୟିକ ସହାୟତା ବ୍ୟତୀତ ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟ (ଏମଓୟୁଏଚଏ) ସହିତ ମିଳିତ ଭାବରେ ଏନଏଚଏମ ମାଧ୍ୟମରେ ଏହି ପଦକ୍ଷେପ କାର୍ଯ୍ୟକାରୀ ହେବ। ବୈଷୟିକ ସହାୟତାରେ ରହିଛି ଫୁଡ୍ ଷ୍ଟ୍ରିଟର ଡିଜାଇନ୍, ଏକ ଏସଓପି ପ୍ରସ୍ତୁତି ଏବଂ ହାଜାର୍ଡ ଆନାଲିସିସ୍ ଆଣ୍ଡ କ୍ରିଟିକାଲ୍ କଣ୍ଟ୍ରୋଲ୍ ପଏଣ୍ଟସ (ଏଚଏସିସିପି) ପ୍ରୋଟୋକଲ୍ ଅଧୀନରେ ତାଲିମ ପ୍ରଦାନରେ ସହାୟତା ସାମିଲ ରହିଛି।