ନାମାଙ୍କନ ପତ୍ର ଦାଖଲ କଲେ ୨ ବିଜେଡି ରାଜ୍ୟସଭା ପ୍ରାର୍ଥୀ

CELLNET

ଓଡ଼ିଶା ଭାସ୍କର: ବିଜେଡି ରାଜ୍ୟସଭାର ତୃତୀୟ ପ୍ରାର୍ଥୀଙ୍କୁ ନେଇ ସସ୍ପେନ୍ସ ଜାରି ରହିଥିବା ବେଳେ ୨ ଜଣ ବିଜେଡି ରାଜ୍ୟସଭା ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଆଜି ବିଧାନସଭାର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଭରିବା ସମୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଜେଡିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ତେବେ ରାଜ୍ୟସଭାକୁ ଏଥର ୩ ଜଣ ପ୍ରାର୍ଥୀ ଯାଉଥିବା ବେଳେ ମାତ୍ର ୨ ଜଣଙ୍କ ନାଁ ଘୋଷଣା କରିଛି ବିଜେଡି। ଗତକାଲି ରାତିରେ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବିଜେଡି। ତେବେ ବିଜେଡିର ତୃତୀୟ ପ୍ରାର୍ଥୀ କିଏ ହେବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

ସୂଚନା ଥାଉକି, ଆସନ୍ତା ୨୭ତାରିଖରେ ଓଡ଼ିଶା ସମେତ ୧୫ ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ଏଥିପାଇଁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଭରିପାରିବେ ପ୍ରାର୍ଥୀ । ୧୬ ଫେବ୍ରୁଆରୀରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୨୦ ଫେବ୍ରୁଆରୀ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ୨୭ ତାରିଖ ଦିନ ୯ଟାରୁ ୪ଟା ଯାଏଁ ଭୋଟ ଗ୍ରହଣ କରାଯିବ। ସେହିଦିନ ଅପରାହ୍ନ ୫ଟାରୁ ଭୋଟ ଗଣତି ଆରମ୍ଭ ହେବ।