fbpx

ବଳଦ କି ଟ୍ରାକ୍ଟର ନଥିଲା; ଜମି ହଳ କଲେ ଦୁଇ ଭଉଣୀ…

ନୂଆଦିଲ୍ଲୀ: ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ । ଏଠାରେ ବଡ଼ ମାତ୍ରାରେ କୃଷି କାର୍ଯ୍ୟ କରାଯାଇଥାଏ । ହେଲେ ଆଜିବି ଅନେକ କୃଷକ ଅଛନ୍ତି ଯେଉଁମାନେ ଉଚିତ୍ ସୁବିଧା ସୁଯୋଗ ପାଇପାରୁନାହାଁନ୍ତି । ଏଭଳିି ଅନେକ କୃଷକ ଅଛନ୍ତି ଯେଉଁମାନଙ୍କ ପାଖରେ ଚାଷ କରିବା ପାଇଁ ପାଖରେ ବଳଦ ନାହିଁ କିମ୍ବା ସେମାନେ ମେସିନର ବ୍ୟବହାର ମଧ୍ୟ କରିପାରୁନାହାଁନ୍ତି । ଏଭଳି ସ୍ଥିତିରେ ଚାଷୀମାନେ ନିଜର ଶାରୀରକ କ୍ଷମତା ଅନୁଯାୟୀ ଚାଷ କରୁଛନ୍ତି ।

ଏବେ ଏମିତି ଏକ ଚାଷୀଙ୍କର କାହାଣୀ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ଆର୍ଥିକ ଅସୁବିଧା କାରଣରୁ ଚାଷ ଜମିକୁ ଚାଷ କରିବା ପାଇଁ ବଳଦ କି ମେସିନ ନେଇପାରୁନଥିଲେ ଜଣେ ଚାଷୀ । ଏଭଳି ସ୍ଥିତିରେ ତାଙ୍କର ଦୁଇ ଝିଅ ନିଜେ ବଳଦ ସ୍ଥାନରେ ରହି ଚାଷ କରିବାରେ ବାପାଙ୍କୁ ସାହାଯ୍ୟ କରିଛନ୍ତି । ଆଉ ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏଭଳି ସାହସକୁ ପ୍ରଶଂସା କରିଛନ୍ତି ଅନେକ ଲୋକ । କର୍ଣ୍ଣାଟକର ଧାରବାଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଧାରବାଡ଼ ଜିଲ୍ଲାରେ ମଦାକିହୋନ୍ନଲ୍ଲୀ ଗାଁର କୃଷକ କଲପ୍ପା ଜବୁରଙ୍କ ଆର୍ଥିକ ସମସ୍ୟା ଖରାପ ଥିବା କାରଣରୁ ସେ ତାଙ୍କର ଏକ ଏକର ଜମିକୁ ଚାଷ କରିପାରିନଥିଲେ । କେବଳ ସେତିକି ନୁହେଁ ତାଙ୍କର ଆର୍ଥିକ ଅବସ୍ଥା ଏତେ ଖରାପ ଯେ ସେ ବଳଦ କିମ୍ବା ଟ୍ରାକ୍ଟର ଦ୍ୱାରା ମଧ୍ୟ ଚାଷ କାର୍ଯ୍ୟ କରିପାରୁନଥିଲେ । ଏହା ସହ ନିକଟରେ ସ୍ୱାସ୍ଥ୍ୟଗତ କାରଣରୁ ଦୁଇଟି ଅପରେସନ ମଧ୍ୟ କରିଥିଲେ । ଯାହା ଯୋଗୁଁ ସେ କ୍ଷେତକୁ ନିଜେ ମଧ୍ୟ ଚାଷ କରିପାରୁନଥିଲେ ।

ଶାରୀରିକ ଅକ୍ଷମତା ଯୋଗୁଁ ଚାଷ କରିପାରୁନଥିବା କାରଣରୁ ତାଙ୍କର ଦୁଇ ଝିଅ ମେଘା ଏବଂ ସାକ୍ଷୀ ନିଜେ ହଳ ଟାଣି ଚାଷ ଜମି ହଳ କରିଥିଲେ । ଆଉ ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଘଟଣା ଜଣାପଡ଼ିବାରେ ହୁବଲୀର ପୂର୍ବ ଏମଏଲସୀ ନାଗରାଜ ଚୌବେ ଜବୁରଙ୍କ ହଳେ ବଳଦ ଉପହାର ଦେଇଛନ୍ତି ।

 

Get real time updates directly on you device, subscribe now.