ପାକିସ୍ତାନ ପଠାଇଥିବା ୨ ଆତଙ୍କୀ ଢେର: ଅମରନାଥ ଯାତ୍ରାରେ ବିଭ୍ରାଟ ପାଇଁ ଚାଲିଥିଲା ପ୍ଲାନ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶ୍ରୀନଗର ପୋଲିସକୁ ମିଳିଛି ଏକ ବଡ ସଫଳତା । ଲସ୍କର-ଇ-ତୋଇବାର ୨ ଆତଙ୍କୀଙ୍କୁ ଖୋଜି ମୃତ୍ୟୁଦଣ୍ଡ ଦେଇଛନ୍ତି ସୁରକ୍ଷାକର୍ମୀ । ଏହି ଗୁଳି ବିନିମୟରେ ଜଣେ ପୋଲିସକର୍ମୀ ମଧ୍ୟ ଆହତ ହୋଇଥିବା ଜାଣିବାକୁ ମିଳିଛି । ଏହି ଆତଙ୍କବାଦୀଙ୍କୁ ପାକିସ୍ତାନ ପଠାଇଥିବା ଅନୁମାନ କରାଯାଉଛି । କେବଳ ସେତିକି ନୁହେଁ, ଅମରନାଥ ଯାତ୍ରାରେ ବିଭ୍ରାଟ ସୃଷ୍ଟି ଏମାନଙ୍କର ଲକ୍ଷ୍ୟ ତିଲା ବୋଲି କୁହାଯାଇଛି ।

ସୂଚନା ଅନୁସାରେ, ଶ୍ରୀନଗରର ବେମିନା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ତିତି ନେଇ ସୂଚନା ମିଳିଥିଲା । ଏହାପରେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ତେବେ ଶ୍ରୀନଗର ପୋଲିସ ଆତଙ୍କବାଦୀଙ୍କ ନିକଟତର ହେବାରୁ ହଠାତ ସେମାନେ ଅତର୍କିତ ଗୁଳିଚାଳନା ଆରମ୍ଭ କରି ଦେଇଥିଲେ । ତେବେ ପୋଲିସର ପାଲଟା ଜବାବରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଜବତ କରାଯାଇଥିବା କିଛି ଦସ୍ତାବିଜରୁ ଆତଙ୍କବାଦୀମାନଙ୍କ ପରିଚୟ ପାଇଛି ପୋଲିସ । ଏମାନଙ୍କ ମଧ୍ୟରୁ ଜଣେ ପାକିସ୍ତାନ ଫୈସଲାବାଦର ଅବଦୁଲ୍ଲା ଗୌରୀ ବୋଲି ପୋଲିସ ତରଫରୁ ସୂଚନା ଦିଆଯାଇଛି । ତେବେ ଅନ୍ୟ ଆତଙ୍କୀ ଜଣକ ଅନନ୍ତନାଗ ଜିଲ୍ଲାର ଆଦିଲ ହୁସେନ ଭାବେ ପରିଚୟ ମିଳିଛି । ଏମାନେ ସୋପୋର ଗଣ୍ଡଗୋଳରେ ଫେରାର ହୋଇଥିବା ଆତଙ୍କୀ ଗ୍ରୁପର ସଦସ୍ୟ ବୋଲି ଜାଣିବାକୁ ମିଳିଛି ।

ତେବେ ଅମରନାଥ ଯାତ୍ରାରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଏମାନେ ଆସିଥିବା ଅନୁମାନ କରାଯାଉଛି । ଆଦିଲ ରାଶିଦ ସମେତ ୨ ପାକ୍ ଆତଙ୍କବାଦୀ ଏବେ ପୋଲିସ ଗୁଳିର ଶିକାର ହୋଇଛନ୍ତି । ଏହି ଘଟଣା ସହିତ ଆତଙ୍କବାଦୀଙ୍କୁ ନିହତ କରିବାରେ ଶତକ ହାସଲ କରିଛି ଭାରତୀୟ ସୁରକ୍ଷାକର୍ମୀ । ଚଳିତବର୍ଷ ଏପର୍ଯ୍ୟନ୍ତ ମୋଟ ୧୦୦ ଆତଙ୍କବାଦୀ ନିହତ ହୋଇଥିବା ଜାଣିବାକୁ ମିଳିଛି । ଯେଉଁଥିରେ ୭୧ ସ୍ଥାନୀୟ ଏବଂ ୨୯ ଜଣ ପାକିସ୍ତାନୀ ଆତଙ୍କବାଦୀ ସାମିଲ ଅଛନ୍ତି ।