ହମିରପୁର: ଉତ୍ତରପ୍ରଦେଶର ହମିରପୁରରେ ୧୨ ଏପ୍ରିଲରେ ଜଣେ ଗୁଟଖା ବ୍ୟବସାୟୀଙ୍କ ଘରେ ରେଡ୍ ହୋଇଥିଲା, ଯାହାକୁ ସେଣ୍ଟ୍ରାଲ ଗୁଡସ୍ ସର୍ଭିସ ଟ୍ୟାକ୍ସ ଟିମ୍ ଦ୍ୱାରା କରାଯାଇଥିଲା । ଏହି ରେଡ୍ ସମୟରେ ଗୁଟଖା ବ୍ୟବସାୟୀଙ୍କ ଘରୁ ୬ କୋଟି ୩୧ ଲକ୍ଷ ୧୧ ହଜାର ୮୦୦ଟଙ୍କା ଜବତ ହୋଇଥିଲା । ଖାସ୍ କଥା ହେଉଛି କି, ଏହି ଟଙ୍କା ଗୁଟଖା ବ୍ୟବସାୟୀଙ୍କ ବେଡ୍ ବକ୍ସ ଭିତରେ ରଖାଯାଇଥିଲା ।
ଟଙ୍କାର ପରିମାଣ ଏତେ ଥିଲା କି, ଷ୍ଟେଟବ୍ୟାଙ୍କର କର୍ମଚାରୀମାନେ ୩ଟି ମେସିନ୍ ଓ ବଡ଼ ବଡ଼ ଟ୍ରଙ୍କ ନେଇ ଆସିଥିଲେ । ପ୍ରାୟ ୧୮ ଘଣ୍ଟାର ଗଣତି ପରେ ଟଙ୍କାକୁ ଟ୍ରଙ୍କରେ ଭର୍ତ୍ତି କରି ଦିଆଯାଇଥିଲା । ଅନ୍ୟପଟେ ଘଟଣାକୁ ନେଇ ଡେପୁଟି କମିଶନର କିଛି କହିବାକୁ ମନା କରିଥିଲେ । କେବଳ ଜଏଣ୍ଟ କମିଶନର ସର୍ଚ୍ଚ ୱାରେଣ୍ଟ ଦେଇଥିବା ସେ କହିଥିଲେ ।
ସୁମେରପୁରର ପୋଲିସ ଷ୍ଟେସନ ନିକଟରେ ରହୁଥିବା ଗୁଟଖା ବ୍ୟବସାୟୀ ଜଗତ ଗୁପ୍ତାଙ୍କ ଘରେ ସେଣ୍ଟ୍ରାଲ ଗୁଡସ୍ ସର୍ଭିସ ଟ୍ୟାକ୍ସର ଟିମ୍ ଚଢ଼ାଉ କରିଥିଲା । ୧୫ ଜଣିଆ ଟିମ୍ ଦ୍ୱାରା ହୋଇଥିବା ଏହି ଚଢ଼ାଉ ଏପ୍ରିଲ ୧୨ ତାରିଖ ଦିନ ସକାଳ ୬ ଟାରୁ ଆରମ୍ଭ ହୋଇଥିଲା, ଯାହାକି ଏପ୍ରିଲ ୧୩ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା । ରାତି ସମୟରେ ବ୍ୟାଙ୍କ କର୍ମଚାରୀମାନେ ଟଙ୍କା ରଖିବାକୁ ତିନୋଟି ବଡ ଟ୍ରଙ୍କ ନେଇ ପହଞ୍ଚିଥିଲେ । ତେବେ ଟଙ୍କା ଭର୍ତ୍ତି ଟ୍ରଙ୍କକୁ ଷ୍ଟେଟ ବ୍ୟାଙ୍କ ହମିରପୁର ପଠାଯାଇଛି । କୁହାଯାଉଛି ଯେ, ବ୍ୟବସାୟୀ ଜଣକ ଜିଏସଟି ଡକ୍ୟୁମେଣ୍ଟରେ ଏପଟସେପଟ କରିଥିଲେ ।