ବାବରଙ୍କ ନାଁରେ ରହିବ ୨୧ମ ଶତାବ୍ଦୀ, ମହାନ ଖେଳାଳି କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ମହାନ ଦ୍ରୁତ ବୋଲର ଓ୍ଵାସିମ ଆକ୍ରମ ପାକିସ୍ତାନ ଦଳର ଅଧିନାୟକ ବାବର ଆଜମଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏକବିଂଶ ଶତାବ୍ଦୀ ବାବର ଆଜମଙ୍କ ନାମରେ ରହିବ। ବାବର ଆଜମଙ୍କ ବ୍ୟାଟିଂ ଫର୍ମ ଏଥିରୁ ଅନୁମାନ କରି ପାରିବେ ଯେ, ସେ ବର୍ତ୍ତମାନ ତିନି ଫର୍ମାଟ୍ରେ ଆଇସିସି ରାଙ୍କିଙ୍ଗରେ ଶୀର୍ଷ ୧୦ରେ ରହିଛନ୍ତି। ବାବରଙ୍କ ଅଧିନାୟକତ୍ଵରେ ଦଳ ନିକଟରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଘରୋଇ ମାଟିରେ ଟି-୨୦ ସିରିଜ୍ରେ ୩-୦ରେ ବିଜୟ ହାସଲ କରିଛି।
ଆକ୍ରମ କହିଛନ୍ତି, ବାବରଙ୍କ ପାଖରେ ହାସଲ କରିବାକୁ ବହୁତ କିଛି ଅଛି। ତାଙ୍କର ବର୍ତ୍ତମାନର ଫର୍ମ ଏକ ବଡ ମିଶନର ଆରମ୍ଭ। ନିଜ ସମୟରେ ପ୍ରସିଦ୍ଧ ବୋଲର ଥିବା ଆକ୍ରମ ବାବରଙ୍କ କାର୍ଯ୍ୟ କରିବାର ଶୈଳୀର ଖୁବ୍ ପ୍ରଶଂସା କରିଛନ୍ତି।
ଆକ୍ରମ ସ୍ପୋର୍ଟ୍ସ ୩୬୦ରେ କହିଛନ୍ତି, ବାବରଙ୍କ ସହିତ ମୁଁ କରାଚି କିଙ୍ଗ୍ସରେ ମଧ୍ୟରେ ଗତ ତିନି ବର୍ଷ ଧରି କାମ କରିଛି। ମୋତେ ତାଙ୍କର କାର୍ଯ୍ୟଶୈଳୀ ବହୁତ ପସନ୍ଦ। ସେ ଖେଳ ପ୍ରତି ବହୁତ ଧ୍ୟାନ ଦିଅନ୍ତି। ନିଜ ପ୍ରଦର୍ଶନରେ କେବେ ବି ସନ୍ତୁଷ୍ଟ ହୁଅନ୍ତି ନାହିଁ, ଯାହା ଜଣେ ଭଲ ନେତୃତ୍ଵର ପରିଚାୟକ।
ମହାନ ଦ୍ରୁତ ବୋଲର କହିଛନ୍ତି, ଏବେ ସେ ଫ୍ୟାବ୍-୪ର ଅଂଶ। ବିରାଟ କୋହଲ, ଡେଭିଡ୍ ଓ୍ଵାର୍ଣ୍ଣର, ଜୋ ରୁଟ୍ ଓ ବାବର ଏବେ ଶୀର୍ଷରେ। ଯଦି ଆପଣ ପାକିସ୍ତାନର ବ୍ୟାଟସମ୍ୟାନଙ୍କ ବିଷୟରେ ଆଲୋଚନା କରିବା, ତେବେ ଆପଣଙ୍କ ମୁହଁରେ ଜାହିର ଅବାସ, ଜାଭେଦ ମିଆଁଦାଦ, ସଲିମ ମଲିକ୍, ଇଞ୍ଜାମାମ ଉଲ ହକ, ୟୁନିସ୍ ଖାନ, ମହମ୍ମଦ ୟୁସୁରଫଙ୍କ ପରେ ଏବେ ବାବର ଆଜମଙ୍କ ନାମ ଆସୁଛି। ୨୧ମ ଶତାବ୍ଦୀ ଆଜମଙ୍କ ନାଁରେ ରହିବ ଏବଂ ତାଙ୍କଠୁ ଏବେ ବହତ କିଛି ବାକି ରହିଛି।
୨୭ ବର୍ଷୀୟ ବାବର ୟୁଏଇରେ ଖେଳାଯାଇଥିବା ଟି-୨୦ ବିଶ୍ଵ କପ୍ ୨୦୨୧ରେ ପାକିସ୍ତାନର ଦମଦାର ବିଜୟର ନେତୃତ୍ଵ ନେଇଥିଲେ। ଦଳ ସେମି ଫାଇନାଲ୍ରେ ପ୍ରବେଶ କରିଥିଲା। ଦଳ ଭାରତ ଓ ନ୍ୟୁଜିଲାଣ୍ଡ ପରି ଦଳକୁ ହରାଇ ସୁପର-୧୨ ମୁକାବିଲାରେ ସବୁ ମ୍ୟାଚ୍ ଜିତିଥିଲା। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ସେମି ଫାଇନାଲ ମୁକାବିଲାରେ ଦଳ ପରାଜିତ ହୋଇ ଫାଇନାଲ୍ରୁ ବଞ୍ଚିତ ହୋଇଥିଲା।