fbpx

ବଡ଼ ଖବର: ଓଡ଼ିଶାରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି, ଯାହାକି ଚିନ୍ତାର ବିଷୟ । ବଲାଙ୍ଗିର ଆଗଲପୁର ବ୍ଲକ ଅଞ୍ଚଳରେ ୪୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ମହିଳା ଜଣକ ଓମିକ୍ରନ ଆକ୍ରାନ୍ତ ଥିବା ସିଡିପିଓ ସୂଚନା ଦେଇଛନ୍ତି । ଗତ ୨୭ ତାରିଖରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଛାତିରେ ଯନ୍ତ୍ରଣା ପାଇଁ ୨୨ରେ ଭୀମଭୋଇ ମେଡିକାଲରେ ସେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଥିଲା । ସେଠାରେ ୨୩ ତାରିଖରେ ତାଙ୍କର ରିପୋର୍ଟ କରୋନା ପଜିଟିଭ ଆସିଥିଲା । ଓମିକ୍ରନ ଚିହ୍ନଟ ପାଇଁ ଜିନମ ସିକ୍ୱେନ୍ସିଂକୁ ସାମ୍ପଲ ପଠାଯାଇଥିଲା । ଓମିକ୍ରନ ରେଜଲ୍ଟ ଆସିବା ପୂର୍ବରୁ ୨୭ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ତେବେ ରାଜ୍ୟରେ ବୁଧବାର ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨୪ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ବିଦେଶ ଲିଙ୍କ ରହିଛି । ବାକି ୧୯ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ମୋଟ ୨୧୮ ସାମ୍ପଲର ଜିନମ ସିକ୍ୱେନ୍ସିଂ କରାଯାଇଥିଲା । ୨୧୮ ସାମ୍ପଲରୁ ୨୪ଟି ଓମିକ୍ରନ ଭାରିଆଣ୍ଟ ଥିବା ସୂଚନା ମିଳିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ ପକ୍ଷରୁ ଅବଗତ କରାଯାଇଛି । ଆଜିର ୨୪କୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି । ପୂର୍ବରୁ ମୋଟ ୩୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Get real time updates directly on you device, subscribe now.