fbpx

କରୋନା ମୁକାବିଲା: ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ସଂସ୍ଥା ପାଇଁ ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ୍

ଭୁବନେଶ୍ୱର, ୧୯ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରାସ୍ କାୟା ବିସ୍ତାର କରିବା ସହ ସମସ୍ତଙ୍କ ଚିନ୍ତାର ବିଷୟବସ୍ତୁ ପାଲଟିଛି । ଏହାରି ମଧ୍ୟରେ ରାଜ୍ୟ ସରକାର ଗୁରୁବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ସଂସ୍ଥା ପାଇଁ ନୂଆ ଗାଇଡ଼ଲାଇନ ଜାରି କରିଛନ୍ତି । ଏହି ଗାଇଡ଼ଲାଇନ ରାଜ୍ୟରେ କରୋନା ଜନିତ ରୋଗ (କୋଭିଡ଼-୧୯)କୁ ମୁକାବିଲା କରିବାରେ ସହାୟତା ହେବ ବୋଲି କୁହାଯାଇଛି । ରାଜ୍ୟ ସଚିବାଳୟ, ଡାଇରେକ୍ଟୋରେଟ୍, ଜିଲ୍ଲାସ୍ତରର ସମସ୍ତ କାର୍ଯ୍ୟାଳୟ ଏବଂ ବେସରକାରୀ ସଂସ୍ଥା ଏପରିକି ଦୋକାନ, ୱାର୍କସପ୍ ଏବଂ କମ୍ପାନୀ ଗୁଡ଼ିକ ପାଇଁ ଏହି ଗାଇଡ଼ଲାଇନ ଜାରି କରାଯାଇଛି । ଗାଇଡ଼ଲାଇନ ଅନୁସାରେ ରାଜ୍ୟ ସଚିବାଳୟ ଓ ଡାଇରେକ୍ଟୋରେଟ୍ ର ଗ୍ରୁପ-ସି ଓ ଗ୍ରୁପ-ବି କର୍ମଚାରୀମାନେ ଚଳିତମାସ ୨୦ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଘରେ ରହିବେ । ତେବେ କାର୍ଯ୍ୟାଳୟ ମୁଖ୍ୟଙ୍କ ଦ୍ୱାରା ଚିହ୍ନିତ ବ୍ୟକ୍ତିଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ଗ୍ରୁପ-ଏ ଓ ବି ଅଧିକାରୀମାନେ କାର୍ଯ୍ୟାଳୟକୁ ଆସିବେ । ସରକାରୀ ବିଭାଗର ମୁଖ୍ୟମାନେ ସରକାରୀ କାର୍ଯ୍ୟକୁ ସୁରୁଖୁରୁରେ ସାରିବା ପାଇଁ ରୋଟେସନ ପଦ୍ଧତି ଆପଣାଇ କର୍ମଚାରୀଙ୍କୁ ନିୟୋଜିତ କରିବେ । ଯେଉଁ କର୍ମଚାରୀଙ୍କୁ ଘରେ ରହିବାକୁ ଅନୁମତି ଦିଆଯିବ ସେମାନେ ବାହାରେ ବୁଲାବୁଲି ନକରି ନିଜକୁ ଘରେ ରଖିବେ । ସେମାନେ ନିଜକୁ ଜନଗହଳି ଏବଂ ଧାରଣାଠାରୁ ଦୂରେଇ ରଖିବେ । ଏହି ଅବଦ୍ଧି ମଧ୍ୟରେ ନିୟମ ନମାନିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ସମସ୍ତ ଛୁଟି ଅବଧିକୁ “ ଲିଭ ୱିଦାଉଟ ପେ” ଭାବେ ହିସାବ କରାଯିବ । ବିଭାଗୀୟ ନିର୍ଦ୍ଦେଶକ, ଜିଲ୍ଲାପାଳ, ଏସପି ଏବଂ ଜିଲ୍ଲାସ୍ତରର କାର୍ଯ୍ୟାଳୟର ମୁଖ୍ୟମାନେ ୱାର୍କ ଲୋଡକୁ ଆଖି ଆଗରେ ରଖି ଏବଂ ରୋଟେସନ ପଦ୍ଧତି ଆପଣାଇ ନିର୍ଦ୍ଧାରଣ କରିବେ ଯେ, କେତେ ସଂଖ୍ୟକ କର୍ମଚାରୀ ଏବଂ କେଉଁମାନେ ଏହି ଅବଧି ମଧ୍ୟରେ ଅଫିସକୁ ଆସିବେ । ଏହି ଅବଧି ମଧ୍ୟରେ କାର୍ଯ୍ୟାଳୟକୁ ଆସୁଥିବା କର୍ମଚାରୀଙ୍କୁ ସାନିଟାଇଜର ଏବଂ ସାବୁନ ଯୋଗାଇଦେବାକୁ ବ୍ୟବସ୍ଥା କରାଯିବ । ସେହିପରି କାର୍ଯ୍ୟାଳୟର ସଫେଇ କର୍ମଚାରୀଙ୍କୁ ଆବଶ୍ୟକ ପରିମାଣର ସାନିଟାଇଜ ସାମଗ୍ରୀ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବା ଦରକାର ବୋଲି ଗାଇଡ଼ଲାଇନରେ ଦର୍ଶାଯାଇଛି । ତେବେ ପୋଲିସ, ଅଗ୍ନିଶମ ବିଭାଗ, ଜେଲ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ଜରୁରୀ କାଳିନ ସେବା ବିଭାଗ ହିସାବରେ ନିଆଯାଉଥିବାରୁ ସେମାନଙ୍କ କ୍ଷେତ୍ରରେ ଏହି ଛୁଟି ନିୟମ ଲାଗୁ ହେବ ନାହିଁ । ଯଦି ଅଧିକ ସଂଖ୍ୟକ କର୍ମଚାରୀ ଥିବେ ଏହା ଉପରେ ବିଚାର କରାଯାଇପାରେ । ବେସରକାରୀ ସଂସ୍ଥାଗୁଡ଼ିକୁ ପରାମର୍ଶ ଦିଆଯାଇଛି ଯେ ଆବଶ୍ୟକ କ୍ଷେତ୍ରରେ କର୍ମଚାରୀଙ୍କୁ ସେମାନେ ଘରୁ କାର୍ଯ୍ୟ କରିବାର ବ୍ୟବସ୍ଥା କରିବେ । ଯଦି କାର୍ଯ୍ୟାଳୟକୁ ଆସି କର୍ମଚାରୀମାନେ କାର୍ଯ୍ୟ କରିବା ନିହାତି ଆବଶ୍ୟକ ହୋଇଥାଏ ତେବେ ଏହି ଅବଧି ମଧ୍ୟରେ କମ୍ ସଂଖ୍ୟକ କର୍ମଚାରୀଙ୍କୁ ନେଇ କିପରି ସେମାନେ କାର୍ଯ୍ୟ କରିବେ ସେନେଇ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏହି ଗାଇଡ଼ଲାଇନରେ ଦର୍ଶାଯାଇଛି ।

Get real time updates directly on you device, subscribe now.