ହକି ବିଶ୍ୱକପ ପାଇଁ ଉନ୍ମୋଚନ ହେଲା ଲୋଗୋ: ୨୦୨୩ ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଛି ଓଡିଶା

ଭୁବନେଶ୍ୱର: ୨୦୨୩ ସିନିୟର ହକି ବିଶ୍ୱକପ ପାଇଁ ପ୍ରସ୍ତୁତ ହୋଇଛି ଓଡିଶା । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ଷ୍ଟାଡିୟମରେ ଏଥର ଜମିବ ହକିର ସମ୍ଭାର । ଆସନ୍ତାବର୍ଷ ଜାନୁୟାରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ଦୁଇଟି ଷ୍ଟାଡିୟମରେ ବିଶ୍ୱକପ ଆୟୋଜନ ହେବ । ଏଥିପାଇଁ ବିଶ୍ୱକପର ଲୋଗୋ ମଧ୍ୟ ଉନ୍ମୋଚନ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ହକି ବିଶ୍ୱକପ-୨୦୨୩ର ଲୋଗୋ ଉନ୍ମୋଚନ ହୋଇଛି । ଏହି ବିଶ୍ୱକପ ପାଇଁ ଓଡିଶାର ଦୁଇଟି ବଡ ଷ୍ଟାଡିୟମକୁ ଚୟନ କରାଯାଇଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ଷ୍ଟାଡିୟମ ଏହି ବିଶ୍ୱକପର ଆୟୋଜକ ଭେନ୍ୟୁ ପାଲଟିଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପ ପାଇଁ ନୂଆ ଲୋଗୋ ଉନ୍ମୋଚନ କରିଛନ୍ତି । ଏହି ଉତ୍ସବରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ହକି ତାରକା ଦିଲୀପ ତିର୍କୀ ଉପସ୍ଥିତ ରହିଥିଲେ ।